କୋରାପୁଟ :କୋରାପୁଟ ଜିଲ୍ଲା ନାରାୟଣପାଟଣାରେ 1570 ମସିହାରେ ନିର୍ମିତ ହୋଇଥିଲା ସର୍ବ ପୁରାତନ ଜଗନ୍ନାଥ ମନ୍ଦିର । ସେହି ସମୟରେ ଏହି ଜଗନ୍ନାଥ ମନ୍ଦିରର ଦାୟିତ୍ଵ ଦେବୋତ୍ତର ବିଭାଗକୁ ହସ୍ତାନ୍ତର କରାଯାଇଥିଲା । ଏଭଳି ସୂଚନା ଦେଇଛନ୍ତି ବରିଷ୍ଠ ଆଇନଜୀବୀ ତଥା ବର୍ତ୍ତମାନର ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ପ୍ରଭାକର ରାଓ ।
ଗତ ଷାଠିଏ ବର୍ଷ ପୂର୍ବେ ନାରାୟଣପାଟଣାର ଜନୈକ ବ୍ୟବସାୟୀ ସୂର୍ଯ୍ୟ ନାରାୟଣ ତାଙ୍କ ପୈତୃକ ସମ୍ପତ୍ତିରୁ କିଛି ଜାଗାରେ ଶ୍ରୀଗୁଣ୍ଡିଚା ମନ୍ଦିର ନିର୍ମାଣ କରିବା ସହ ଏହାର ରକ୍ଷଣାବେକ୍ଷଣ ଖର୍ଚ୍ଚକୁ ତୁଲାଇବା ନିମନ୍ତେ ଆଉ ଚାରି ଏକର ଜମି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଦାନ ଦେଇଥିବା ରାଓ ଜଣାଇଛନ୍ତି । ହେଲେ ବର୍ତ୍ତମାନ ଶ୍ରୀଗୁଣ୍ଡିଚା ମନ୍ଦିରର ଉପଯୁକ୍ତ ରକ୍ଷଣାବେକ୍ଷଣ ନହୋଇପାରିବା ଯୋଗୁଁ ଏହି ଘରଟି ଅସୁରକ୍ଷିତ ହୋଇପଡିଥିବା ବେଳେ ସ୍ବର୍ଗତଃ ସୂର୍ଯ୍ୟନାରାୟଣଙ୍କ ଭାଇଙ୍କ ସନ୍ତାନମାନେ ଏହି ଚାରି ଏକର ଜମିକୁ ଅକ୍ତିଆର କରି ତାକୁ ବିକ୍ରି କରିବାକୁ ଆରମ୍ଭ କରିଥିବା ନେଇ ଶ୍ରୀ ରାଓ ଅଭିଯୋଗ କରିଛନ୍ତି ।
ତେଣୁ ମନ୍ଦିର ପରିଚାଳନା କମିଟି ଚଳିତ ବର୍ଷଠାରୁ ଷାଠିଏ ବର୍ଷ ପୂର୍ବେ ଶ୍ରୀଗୁଣ୍ଡିଚା ମନ୍ଦିର ଥିବା ସ୍ଥାନକୁ ଫେରିଯିବା ପାଇଁ ନିଷ୍ପତ୍ତି ନେଇଥିବା କମିଟିର ସଭାପତି ଜନାର୍ଦ୍ଦନ ସୁବୁଦ୍ଧି ଜଣାଇଛନ୍ତି । କିନ୍ତୁ ଇତିମଧ୍ୟରେ ସେହି ସ୍ଥାନରେ ବ୍ଲକ ପ୍ରଶାସନ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ନିର୍ମାଣ କରିସାରିଛନ୍ତି ।