କୋରାପୁଟ: କୋରାପୁଟ ଜିଲ୍ଲା ଅନ୍ତର୍ଗତ ଦଶମନ୍ତପୁର ବ୍ଲକର ଅଧିକାଂଶ ଲୋକେ କୃଷି ଉପରେ ନିର୍ଭରଶୀଳ । ଜମିରେ ଯାହା ଫସଲ ହୁଏ ତାକୁ ବିକ୍ରି କରି ଗୁଜୁରାଣ ମେଣ୍ଟାନ୍ତି । କିନ୍ତୁ ଦଶମନ୍ତପୁର ବ୍ଲକର ଗରୁଡ଼ମୁଣ୍ଡା ଗାଁରେ ଲୋକେ ବର୍ଷକୁ ଅତି ବେଶୀରେ ଦୁଇଟି ଚାଷ କରିପାରୁଥିଲେ । କାହାର ଜମିରେ ଚାଷ ହେଉଥିଲା ତ, ଆଉ କାହାର ଅନେକ ସମୟରେ ପଡିଆ ପଡୁଥିଲା । ହେଲେ ଏବେ କୋରାପୁଟ ଜିଲ୍ଲାର ଏକ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ 'ସିୱାଇଏସଡି'(CYSD)ର ସହଯୋଗରେ ସେହି ପଡିଆ ଜମି ସବୁଜ ଫସଲରେ ଭରିଯାଇଛି । ଗ୍ରାମର ମହିଳାମାନେ ଏକତ୍ରିତ ହୋଇ ଚାଷ କରିବା ଆରମ୍ଭ କରିଛନ୍ତି ।
CYSD ସଂଗଠନ ଗରୁଡ଼ମୁଣ୍ଡା ଗ୍ରାମର ୧୨୬ ଜଣ ମହିଳାଙ୍କୁ ଏକତ୍ରିତ କରି ତାରା ତାରିଣୀ ଗ୍ରୁପ ଗଠନ କରିଛି । ଏହି ଗ୍ରୁପର ସଦସ୍ୟ ଗାଁ ଚାରିପାଖେ ଥିବା ୫୦ ଏକର ଜମିରେ ଧନିଆ ଚାଷ କରିଛନ୍ତି । କେବଳ ଧନିଆ ନୁହେଁ, ଏଠାରେ ବିନ୍, ଆଳୁ ଇତ୍ୟାଦି ପନିପରିବା ମଧ୍ୟ ଚାଷ କରାଯାଉଛି । ଏତେ ବଡ ଚାଷ ଜମିକୁ ପଶୁଙ୍କ କବଳରୁ ସୁରକ୍ଷା ଦେବା କାଠିକର ପାଠ ହୋଇଥିବାବେଳେ, ଏହି କାର୍ଯ୍ୟରେ ସେମାନଙ୍କୁ ସାହାଯ୍ୟ ଯୋଗାଇଛି ସ୍ବେଚ୍ଛାସେବୀ ସଂଗଠନ । CYSD ସଂଗଠନ ଏକ ସୋଲାର ପାୱାର ୟୁନିଟ ସ୍ଥାପନ କରିଛି । ଏହାସହିତ ବାଡ ଦେବା ପାଇଁ ଆବଶ୍ୟକ ହେଉଥିବା ସୋଲାର ଚାର୍ଜକୁ ବହନ କରୁଥିବା ତାର ପ୍ରଦାନ କରିଛି ।
ମହିଳା ଚାଷୀମାନେ ନିଜ ଗହଣା ବନ୍ଧକ ରଖି ନିଜ ଖର୍ଚ୍ଚରେ ତାର ଲଗାଇବା ପାଇଁ ଆବଶ୍ୟକୀୟ ସିମେଣ୍ଟ ଖୁଣ୍ଟ କିଣିଛନ୍ତି । ସେହି ଖୁଣ୍ଟକୁ ୫୦ ଏକର ଜମି ଚାରିପଟେ ପୋତିବା ଓ ଖୁଣ୍ଟଗୁଡ଼ିକରେ ତାର ସଂଯୋଗ କରିଛନ୍ତି । ଏହି କାର୍ଯ୍ୟରେ ସମସ୍ତ ପରିବାରର ସଦସ୍ୟ ଶ୍ରମଦାନ କରିଥିବା ତାରା ତାରିଣୀ ଏସଏଚଜିର ସଦସ୍ୟ ସେବତୀ ଗୌଡ଼ ଜଣାଇଛନ୍ତି । ଏଥିସହ ସାମୁହିକ ଭାବେ ଚାଷ କରିବା ଯୋଗୁଁ ସମସ୍ତେ ବର୍ଷ ତମାମ କିଛି ନା କିଛି ଅର୍ଥ ରୋଜଗାର କରିପାରୁଥିବା ସେ କହିଛନ୍ତି ।