ଭୁବନେଶ୍ବର/କୋରାପୁଟ: କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଶୈବ ମନ୍ଦିର ଗୁପ୍ତେଶ୍ବର ପୀଠର ହେବ ରୂପାନ୍ତର । ଏହି ପ୍ରସିଦ୍ଧ ଶୈବପୀଠର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । 5T ଉପକ୍ରମ ଜରିଆରେ ଏହି ପ୍ରସିଦ୍ଧ ଶୈବପୀଠର ସର୍ବାଙ୍ଗୀନ ଉନ୍ନତି କରାଯିବ । ଏହାକୁ ଓଡିଶାର ଅନ୍ୟତମ ପ୍ରମୁଖ ଧାର୍ମିକ ତଥା ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ପ୍ରାକୃତିକ ସୌନ୍ଦର୍ଯ୍ୟରେ କୌଣସି ଆଞ୍ଚ୍ ନଆଣି ପୀଠର ଉନ୍ନତି କରିବା ନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ସଚିବ ଭିକେ ପାଣ୍ଡିଆନ ଗତ ଫେବୃୟାରୀ ୩ ତାରିଖ ଦିନ କୋରାପୁଟ ଗସ୍ତ କରି ଗୁପ୍ତେଶ୍ବର ମନ୍ଦିର ପରିଦର୍ଶନ କରିଥିଲେ । ମନ୍ଦିରର ସେବାୟତଙ୍କ ସମେତ କମିଟିର ସଦସ୍ୟଗଣ, ଜନ ପ୍ରତିନିଧି ଓ ସ୍ଥାନୀୟ ଲୋକ ମାନଙ୍କ ସହ ପୀଠର ରୂପାନ୍ତର ନେଇ ଆଲୋଚନା କରିଥିଲେ । ମନ୍ଦିରର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ 5T ସଚିବ । ଏହି ନିର୍ଦ୍ଦେଶକ୍ରମେ କୋରାପୁଟ ଜିଲ୍ଲାପାଳ ରିପୋର୍ଟ ପ୍ରସ୍ତୁତ କରି ପ୍ରଦାନ କରିଥିଲେ । ଜିଲ୍ଲାପାଳଙ୍କ ପ୍ରସ୍ତାବ ଅନୁଯାୟୀ ମୁଖ୍ୟମନ୍ତ୍ରୀ ୨୦ କୋଟି ଅର୍ଥ ମଞ୍ଜୁର କରିଛନ୍ତି । 5T ଉପକ୍ରମରେ ଏହି ବିକାଶ କାମ ହାତକୁ ନିଆଯିବ ବୋଲି ଜଣାପଡ଼ିଛି ।
ଏହା ମଧ୍ୟ ପଢ଼ନ୍ତୁ...ଗୁପ୍ତେଶ୍ୱର ଶୈବପୀଠରେ ଭକ୍ତଙ୍କଠାରୁ ପ୍ରବେଶ ଶୁଳ୍କ ଆଦାୟକୁ ନେଇ ଅସନ୍ତୋଷ