କୋରାପୁଟ: ନାଚିକା ଲିଙ୍ଗାଙ୍କୁ ମିଳିଲା ଜାମିନ । ଚାଷୀ ମୂଲିଆ ଆଦିବାସୀ ସଂଘ ପକ୍ଷରୁ ନାଚିକା ଲିଙ୍ଗାଙ୍କ ନେତୃତ୍ବରେ ୨୦୦୯ ରେ ନାରାୟଣପାଟଣା ଥାନା ଆକ୍ରମଣ କରାଯାଇଥିବାର ଅଭିଯୋଗ ହୋଇଥିଲା । ଏହି ମାମଲାରେ ୨୦୧୪ ଅକ୍ଟୋବର ୧୦ ତାରିଖରୁ ଜେଲରେ ରହିଥିଲେ ।
ଚାଷୀ ମୂଲିଆ ଆଦିବାସୀ ସଂଘ ନେତା ନାଚିକା ଲିଙ୍ଗାଙ୍କୁ ମିଳିଲା ଜାମିନ - ଚାଷୀମୂଲିଆ ଅଦିବାସୀ ସଂଘ ନେତା ନାଚିକା ଲିଙ୍ଗା
15:09 November 06
ଚାଷୀ ମୂଲିଆ ଆଦିବାସୀ ସଂଘ ନେତା ନାଚିକା ଲିଙ୍ଗାଙ୍କୁ ମିଳିଲା ଜାମିନ
ନାରାୟଣପାଟଣାର ଚାଷୀ ମୂଲିଆ ଅଦିବାସୀ ସଂଘ ନେତା ନାଚିକାଙ୍କ ବିରୁଦ୍ଧରେ ସମୁଦାୟ 45 ଟି ମାମଲା ରୁଜ୍ଜୁ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ 44 ଟିରେ ତାଙ୍କୁ ଜାମିନ ମିଳିସାରିଥିଲା । ଆଜି ନାରାୟଣପାଟଣା ଥାନା ଆକ୍ରମଣ ମାମଲାରେ ଉଚ୍ଚ ନ୍ୟାୟାଳୟରୁ ଜାମିନ ମିଳିଛି । ଶୁକ୍ରବାର 6 ବର୍ଷ ପରେ ଉଚ୍ଚ ନ୍ୟାୟାଳୟରୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଛି ।
ସୂଚନାଥାଉକି କୋରାପୁଟ ଜିଲ୍ଲାର ନାରାୟଣପାଟଣା ଓ ବନ୍ଧୁଗାଁ ଅଞ୍ଚଳରେ ଚାଷୀ ମୂଲିଆ ଆଦିବାସୀ ସଂଘ ନେତା ନାଚିକା ଲିଙ୍ଗା ବେଆଇନ ଜମି ଆବଣ୍ଟନକୁ ବିରୋଧ କରି ବ୍ୟାପକ ଆନ୍ଦୋଳନ କରାଯାଇଥିଲା । ଏହା ସହ ଚୋରା ମଦ ଚାଲାଣ ବିରୋଧରେ ମଧ୍ୟ ଆନ୍ଦୋଳନ କରିଥିଲେ । ତେବେ ନାଚିକା ଲିଙ୍ଗାଙ୍କ ଆନ୍ଦୋଳନ ରାଷ୍ଟ୍ରର ନିୟମ ମଧ୍ୟରେ ଶାନ୍ତିପୂର୍ଣ୍ଣ ଥିଲା ବୋଲି ବିଶିଷ୍ଟ ସାମାଜିକ କର୍ମୀ ପ୍ରଫୁଲ୍ଲ ସାମନ୍ତରାୟ ମତ ରଖିଛନ୍ତି । ଆଗକୁ ନାଚିକା ଲିଙ୍ଗା ଗଣତାନ୍ତ୍ରିକ ପଦ୍ଧତିରେ ଲୋକଙ୍କ ଅଧିକାର ପାଇଁ ଲଢ଼ିବେ ଓ ତାଙ୍କ ସହ ସମସ୍ତେ ରହିଛନ୍ତି ବୋଲି ସାମନ୍ତରାୟ କହିଛନ୍ତି । ଲିଙ୍ଗା ଜନସେବାକୁ ସମ୍ମାନ ଜଣାଇ ଭୁବନେଶ୍ବର ସ୍ଥିତ ଲୋହିଆ ଫାଉଣ୍ଡେସନ ଆସନ୍ତା 26 ତାରିଖରେ ତାଙ୍କୁ ସମ୍ମାନିତ କରିବ ବୋଲି ସେ କହିଛନ୍ତି ।
ଜେଲରୁ ମୁକୁଳିବା ପରେ ଲିଙ୍ଗା ଶାନ୍ତିପୂର୍ଣ୍ଣ ଭାବେ ସମସ୍ତଙ୍କ ସହ ଭବିଷ୍ୟତ ଜୀବନକୁ ଗଢିବା ସହ ମହିଳାଙ୍କ ସୁରକ୍ଷା ଦିଗରେ ସେ କାର୍ଯ୍ୟ କରିବେ ବୋଲି କହିଛନ୍ତି । ତେବେ କୋରାପୁଟ ଉପଖଣ୍ଡ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ଦ୍ଵାରା ଦିଆଯାଇଥିବା ସର୍ତ ଅନୁଯାୟୀ ନାଚିକା ଲିଙ୍ଗା ବିନା ଅନୁମତିରେ ଜିଲ୍ଲା ଛାଡି ଯାଇପାରିବେ ନାହିଁ ବା କୌଣସି ହିଂସାତ୍ମକ କାର୍ଯ୍ୟରେ ଲିପ୍ତ ହେବେ ନାହିଁ । ଏହା ସହ ମାମଲାର ଶୁଣାଣି ପାଈଁ ତାରିଖ ନିର୍ଣ୍ଣୟ କରାଗଲେ ନିର୍ଦିଷ୍ଟ ସମୟରେ ଆସି ହାଜର ହେବାକୁ ପଡିବ ବୋଲି ଏପିପି ବିଦ୍ୟାଧର ସାହୁ କହିଛନ୍ତି । 5 ଲକ୍ଷ ଟଙ୍କା ମୁଚାଲିକା ଓ ଦୁଇଜଣ ଜାମିନଦାରଙ୍କ ବଦଳରେ ନାଚିକାଙ୍କୁ ଜାମିନ ପ୍ରଦାନ କରାଯାଇଛି । ଏହା ପରେ ତାଙ୍କୁ କୋରାପୁଟ ମଣ୍ଡଳ କାରାଗାରରୁ ମୁକ୍ତ କରାଯାଇଛି । ଅପରାହ୍ନରେ ନାଚିକା ମଣ୍ଡଳ କାରାଗାରରୁ ବାହାରିଲା ବେଳେ ତାଙ୍କ ପରିବାର ସଦସ୍ୟ ଓ କିଛି ଗ୍ରାମବାସୀ ତାଙ୍କୁ ସ୍ବାଗତ କରିଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ