କୋରାପୁଟ:ଚର୍ଚ୍ଚାରେ କୋରାପୁଟ ଜିଲ୍ଲା ସେମିଳିଗୁଡାର ଚନ୍ଦ୍ରଯାନ-୩ ମେଢ଼ । ବିଶ୍ବକର୍ମା ପୂଜା ପେଣ୍ଡାଲରେ ଦିଶିଲା ଇସ୍ରୋର ସଫଳ ମୁନ୍ ମିଶନର ଝଲକ । ଚଳିତ ବର୍ଷ ସେମିଳିଗୁଡା ସହରରେ ଦେବଶିଳ୍ପୀ ବିଶ୍ବକର୍ମାଙ୍କ ପୂଜା ମହାଆଡମ୍ବର ସହକାରେ ପାଳିତ ହୋଇଥିବା ବେଳେ ନନ୍ଦପୁର ରୋଡ ସ୍ଥିତ ମହାରଣା ଗ୍ଲାସ ହାଉସ ପୂଜା ମଣ୍ଡପର ଚନ୍ଦ୍ରଯାନ-୩ ମେଢ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ମଣ୍ଡପରେ ଇସ୍ରୋର ଚନ୍ଦ୍ରଯାନ-୩ ଉତକ୍ଷେପଣ ଠାରୁ ଚନ୍ଦ୍ରରେ ସଫଳ ଲ୍ୟାଣ୍ଡିଂ ପର୍ଯ୍ୟନ୍ତ ସବୁକିଛିର ପ୍ରତିରୂପ ସ୍ଥାନ ପାଇଛି । ଚନ୍ଦ୍ର ଉପରେ ବିଶ୍ବକର୍ମା ବିରାଜମାନ କରିଥିବା ବେଳେ ତାଙ୍କ ଚାରିପଡେ ଲ୍ୟାଣ୍ଡର ବୁଲୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।
ଗ୍ଲାସ ହାଉସ ମାଲିକ ବୁଲୁ ମିସ୍ତ୍ରୀଙ୍କ ପ୍ରଚେଷ୍ଟା ଓ ତାଙ୍କ ସହଯୋଗୀଙ୍କ ପ୍ରୟାସରେ ବିଶ୍ବକର୍ମା ପୂଜାରେ ଏଭଳି ଆକର୍ଷଣୀୟ ଚନ୍ଦ୍ରଯାନ-୩ ମେଢ଼ ପ୍ରସ୍ତୁତ କରାଯାଇଛି । ବୁଲୁ ମହାରଣାଙ୍କ ହାତ ତିଆରି ଏହି ମେଢ ଆଖପାଖର ଲୋକଙ୍କୁ ଖୁବ୍ ଆକର୍ଷିତ କରୁଛି l ଚନ୍ଦ୍ରଯାନ-୩ ମେଢ଼ ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ ଜମୁଥିବା ବେଳେ ବୁଲୁ ବେଶ୍ ପ୍ରଶଂସା ସାଉଣ୍ଟୁଛନ୍ତି l ବଡ କଥା ହେଉଛି, ବୁଲୁ ମାତ୍ର ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପଢିଛନ୍ତି । ଅଧାରୁ ପାଠ ଛାଡି ନିଜର କୌଳିକ ବୃତ୍ତି କାଠ କାମକୁ ଆଦରି ନେଇଛନ୍ତି । କିନ୍ତୁ ପ୍ରତିବର୍ଷ ବିଶ୍ୱକର୍ମା ପୂଜାରେ ନିଜ ମହାରଣା ଗ୍ଲାସ ହାଉସରେ ନିଆରା ଭାବେ ପୂଜା କରି ଚର୍ଚ୍ଚାକୁ ଆସିଥାନ୍ତି l
ଏହାମଧ୍ୟ ପଢନ୍ତୁ: Ganesh Puja: ଗଣେଶ ପୂଜାରେ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରୁଛି ଆଧାର କାର୍ଡ ତୋରଣ