କୋରାପୁଟ: ଭାରତର ସଂସ୍କୃତି ଓ ଜୀବନଶୈଳୀକୁ ସମୃଦ୍ଧ କରିବାରେ ଆଦିବାସୀ ସଂସ୍କୃତି ଓ ଜୀବନଶୈଳୀର ଅବଦାନ ଉପରେ ଦୁଇ ଦିନିଆ ଜାତୀୟ ସେମିନାର କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପରିସରରେ ଉଦଘାଟିତ ହୋଇଯାଇଛି । ନୂଆଦିଲ୍ଲୀରେ ଥିବା ଆଦିବାସୀ ଜ୍ଞାନ ଗବେଷଣା କେନ୍ଦ୍ର (ଟିକେଆରସି) ଓ ଓଡ଼ିଶାର ବନବାସୀ କଲ୍ୟାଣ ଆଶ୍ରମର ମିଳିତ ସହଯୋଗରେ ବିଶ୍ବବିଦ୍ୟାଳୟ ପକ୍ଷରୁ 'ଭାରତୀୟ ସମାଜ ଗଠନରେ ଜନଜାତିଙ୍କ ସଂସ୍କୃତି ଓ ମାନବୀୟ ମୂଲ୍ୟବୋଧର ପରମ୍ପରାର ଗୁରୁତ୍ବ' ଶୀର୍ଷକ ସେମିନାର ଆୟୋଜନ କରାଯାଇଛି । ଏହି ଦୁଇ ଦିନିଆ ସେମିନାରକୁ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।
ଏହି ଅବସରରେ ଟ୍ରାଇଫେଡ୍ର ଉପାଧ୍ୟକ୍ଷ ପବିତ୍ର କହଁର ମୁଖ୍ୟ ଅତିଥି ଏବଂ ଟିକେଆରସିର କାର୍ଯ୍ୟନିର୍ବାହୀ ବୋର୍ଡ ସଦସ୍ୟ ଡ. ବିନୋଦ କୁମାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଖିଳ ଭାରତୀୟ ବନବାସୀ କଲ୍ୟାଣ ଆଶ୍ରମର ବରିଷ୍ଠ ସଦସ୍ୟ ଗିରିଶ କୁବେର, ଆଦିବାସୀ ଅଧିକାର କର୍ମୀ ଶ୍ୟାମ ପ୍ରସାଦ ଯୋଗ ଦେଇଥିବା ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଆସୋସିଏଟ୍ ପ୍ରଫେସର ତଥା ସେମିନାରର ଆୟୋଜକ ଡ. କପିଳା ଖେମୁଣ୍ଡୁ ଜଣାଇଛନ୍ତି ।
ଏହି ଅବସରରେ ପ୍ରଫେସର ତ୍ରିପାଠୀ କହିଥିଲେ ଯେ, ଆଦିବାସୀଙ୍କ ଜୀବନଶୈଳୀ ଅନନ୍ୟ ଏବଂ ଏହାକୁ ସମସ୍ତ ଲୋକ ଅନୁସରଣ କରିବା ଉଚିତ । ଆଦିବାସୀମାନଙ୍କର ଖୁସିର ସ୍ତର ଆଶ୍ଚର୍ଯ୍ୟଜନକ ଏବଂ ସେମାନେ କେବେ ବି ଭୌତିକ ଆବଶ୍ୟକତା ପାଇଁ ଲାଳାୟିତ ହୁଅନ୍ତି ନାହିଁ । ସେମାନେ ନିଜ ଜୀବନରେ ଯାହା ବି ରୋଜଗାର କରନ୍ତି ସେଥିରେ ଖୁସି ଥାଆନ୍ତି । ଆମେ ଶିକ୍ଷିତ, କିନ୍ତୁ ପାଶ୍ଚାତ୍ୟ ସଂସ୍କୃତିକୁ ଅନୁସରଣ କରି ଆମେ ଆମ ସଂସ୍କୃତିକୁ ଭୁଲି ଯାଇଛୁ । ତେଣୁ ଆମେ ଯଦି ଏହି ଦୁନିଆରେ ସୁଖ ଚାହୁଁଛୁ ତେବେ ଆଦିବାସୀ ସଂସ୍କୃତିକୁ ଅନୁସରଣ କରିବା ଉଚିତ୍ । ଛାତ୍ରଛାତ୍ରୀଙ୍କୁ ଅତିକମରେ କୌଣସି ଦିନ ୧୦ ଘଣ୍ଟା ଆଦିବାସୀଙ୍କ ସହ ରହିବାକୁ ସେ ସମସ୍ତ ଅଧ୍ୟାପକଙ୍କୁ ଅନୁରୋଧ କରିଥିଲେ । ବିଶ୍ବବିଦ୍ୟାଳୟର ଉଦ୍ଦେଶ୍ୟ ହେଉଛି ଏହି ଅଞ୍ଚଳର ଆଦିବାସୀ ସାଂସ୍କୃତିକ ସମ୍ପଦକୁ ସଂରକ୍ଷିତ ରଖିବା । ବିଶ୍ବବିଦ୍ୟାଳୟ ଏହାର ଉଦ୍ଦେଶ୍ୟ ପୂରଣ ପାଇଁ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ବଦ୍ଧ ବୋଲି ସେ କହିଥିଲେ ।