କୋରାପୁଟ: ରାୟପୁର ଠାରୁ ବିଶାଖାପାଟଣା ଯାଇଥିବା ଜାତୀୟ ରାଜପଥରେ ବଢୁଛି ଦୁର୍ଘଟଣା । କୋରାପୁଟ ବାସୀଙ୍କ ପାଇଁ ଏହି ରାସ୍ତା ମରଣଯନ୍ତା ପାଲଟୁଛି । ଜନ ଗହଳିପୂର୍ଣ୍ଣ ରାସ୍ତାକୁ ଲାଗିକି ଥିବା ବଜାର ଓ ସରକାରୀ କ୍ବାଟର୍ସ ଯୋଗୁଁ ଦିନକୁ ଦିନ ରାସ୍ତା ସଂକୀର୍ଣ୍ଣ ହେଉଛି । ଫଳରେ ଏହି ରାସ୍ତାରେ ନିୟମିତ ଦୁର୍ଘଟଣାର ଖବର ମିଳୁଛି ।
ସହରବାସୀଙ୍କ ଅସୁବିଧାକୁ ଦେଖି, କୋରାପୁଟରୁ ସୁନାବେଡା ଯିବା ରାସ୍ତାରେ ରେଳ ଓଭର ବ୍ରିଜ ନିକଟରୁ ରାସ୍ତାକୁ ରେଳବାଇ କଲୋନୀ ଓ ଷ୍ଟାଡିୟମ ବାଟଦେଇ ଜୟପୁର ରାସ୍ତାରେ କଫି ବୋର୍ଡ ପର୍ଯ୍ୟନ୍ତ ଏକ ବାଇପାସ ରାସ୍ତାର ଯୋଜନା କରାଯାଇଥିଲା । ମାତ୍ର ରାଜନୈତିକ ଇଚ୍ଛାଶକ୍ତି ଓ ପ୍ରଶାସନିକ ସ୍ତରରେ ଆଗ୍ରହର ଅଭାବ ଯୋଗୁଁ ଦୀର୍ଘ ବର୍ଷ ପରେ ମଧ୍ୟ ଏନେଇ କୌଣସି ପଦକ୍ଷେପ ନିଆଯାଇନାହିଁ । ରେଳବିଭାଗ ଓ ଜାତୀୟ ରାଜପଥ ବିଭାଗ ମଧ୍ୟରେ ସମନ୍ବୟର ଅଭାବ ମଧ୍ୟ ଏହାର କାରଣ ହୋଇଛି ।