କୋରାପୁଟ:କମ୍ପ୍ୟୁଟର ଶିକ୍ଷା ଗ୍ରହଣ କରିବେ ଦୃଷ୍ଟି ବାଧିତ ଶିଶୁ । କୋରାପୁଟ ଦୃଷ୍ଟିହୀନ ବିଦ୍ୟାଳୟର ପିଲାଙ୍କ ପାଇଁ ଏମିତି ନୂତନ ସୁଯୋଗ ସୃଷ୍ଟି କରିଛି ନିଖିଲ କମ୍ପ୍ୟୁଟର ଏକାଡେମୀ । ବାହାର ଦୁନିଆକୁ ନିଜ ବାହ୍ୟ ଚକ୍ଷୁ ମାଧ୍ୟମରେ ଦେଖି ଜାଣି ପାରିନଥିଲେ ବି ସମଗ୍ର ସଂସାରର ତଥ୍ୟକୁ ଏବେ ଜାଣିବେ ଏହି ଦୃଷ୍ଟି ବାଧିତ ଶିଶୁ । କୋଟସ ଆଦିବାସୀ ଗବେଷଣାତ୍ମକ ଅନୁଷ୍ଠାନ ମଧ୍ୟରେ ଦୃଷ୍ଟିବାଧିତ ଶିଶୁଙ୍କ ପାଇଁ ଖୋଲାଯାଇଛି କମ୍ପ୍ୟୁଟର ଶିଖିବାର ସୁଯୋଗ ।
କିଛିଦିନ ପୂର୍ବେ ଜିଲ୍ଲାପାଳ ଅବଦଲ ଅକ୍ତର କୋଟସ ପରିଦର୍ଶନରେ ଆସିଥିବାବେଳେ, ସେହି କ୍ୟାମ୍ପସରେ କୋଟସ ଓ ନିଖିଲ କମ୍ପ୍ୟୁଟର ଏକାଡେମୀର ମିଳିତ ପ୍ରୟାସରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଚାଲିଥିବା ଏକ କମ୍ପ୍ୟୁଟର ସେଣ୍ଟର୍ ମଧ୍ୟକୁ ସେ ପ୍ରବେଶ କରିଥିଲେ । ଏହି ଅନୁଷ୍ଠାନରେ ଥିବା କମ୍ପ୍ୟୁଟର ସମୂହ ଓ ଆନୁଷଙ୍ଗିକ ବ୍ୟବସ୍ଥା କୁ ଦେଖି ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟର ପିଲାଙ୍କୁ ମଧ୍ୟ କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରିବା ନେଇ ପ୍ରସ୍ତାବ ଦେଇଥିଲେ ବୋଲି ଏହି କମ୍ପ୍ୟୁଟର ଅନୁଷ୍ଠାନର ନିର୍ଦ୍ଦେଶକ ସନ୍ତୋଷ କୁମାର ପଣ୍ଡା ଜଣାଇଛନ୍ତି ।