ଓଡିଶା

odisha

ETV Bharat / state

ଜୈବ ବିବିଧତା ସଂରକ୍ଷଣ ଲକ୍ଷ୍ୟ, ଘର ବଗିଚାରେ ଫୁଟିଲା ଜଙ୍ଗଲୀ ଫୁଲ

ନଷ୍ଟ ହେବାକୁ ବସିଛି କୋରାପୁଟର ଜୈବ ବିବିଧତା । ଘର ବଗିଚାରେ ଜଙ୍ଗଲୀ ବୃକ୍ଷ ଲଗାଇ ଏହାର ସଂରକ୍ଷଣ କରିବାକୁ ଆହ୍ବାନ ଦେଇଛନ୍ତି ପରିବେଶବିତ ମିହିର ଜେନା । ଅଧିକ ପଢନ୍ତୁ

By

Published : Jun 10, 2023, 6:32 PM IST

Updated : Jun 10, 2023, 8:38 PM IST

Etv Bharat
Etv Bharat

ଜୈବ ବିବିଧତା ସଂରକ୍ଷଣ ଲକ୍ଷ୍ୟ, ଘର ବଗିଚାରେ ଫୁଟିଲା ଜଙ୍ଗଲୀ ଫୁଲ

କୋରାପୁଟ:ଚର୍ଚ୍ଚାରେ କୋରାପୁଟର ସହରବାସୀଙ୍କ ବଗିଚା । ନିଜ ବଗିଚାରେ ଜଙ୍ଗଲ ପୁଷ୍ପକୁ ଲଗାଇ ଜୈବ ବିବିଧତା ସଂରକ୍ଷଣର ବାର୍ତ୍ତା ଦେଇଛନ୍ତି ଜିଲ୍ଲାବାସୀ । ଜୈବ ବିବିଧତା ସାଧାରଣ ଜୀବନ ଧାରାକୁ ସୁନ୍ଦର କରି ଗଢି ତୋଳିଥିବା ବେଳେ ଏହାର ସୁରକ୍ଷା ଉପରେ ଗୁରୁତ୍ବ ଦିଆଯାଉଛି । ଏଭଳି ଭାବେ ଜଙ୍ଗଲ ସମ୍ପଦକୁ ପୁନରୁଦ୍ଧାର କରାଯାଇହେବ ବୋଲି କହିଛନ୍ତି ପରିବେଶବିତ୍ ମିହିର ଜେନା । ଏଭଳି ଜଙ୍ଗଲୀ ପୁଷ୍ପକୁ ନିଜ ଘରେ ଲଗାଇ କୋରାପୁଟର ଜୈବ ବିବିଧତାକୁ ବଜାୟ ରଖିବା ଲାଗି ସେ ଜିଲ୍ଲାବାସୀଙ୍କୁ ଆହ୍ବାନ ଦେଇଛନ୍ତି ।

ଘର ବଗିଚାରେ ଫୁଟିଲା ଜଙ୍ଗଲୀ ପୁଷ୍ପ

କୋରାପୁଟ ଅଞ୍ଚଳରେ ଅନେକ ସ୍ଥାନରେ ଜୈବ ବିବିଧତା ନଷ୍ଟ ହୋଇଯାଇଥିଲେ ମଧ୍ୟ ଦେଓମାଳି, ଗୁପ୍ତେଶ୍ବର, ମାଛକୁଣ୍ଡ ଭଳି କିଛି କିଛି ସ୍ଥାନରେ ଏପର୍ଯ୍ୟନ୍ତ ବଞ୍ଚିଥିବା ଜୈବ ବିବିଧତାକୁ ସଂରକ୍ଷଣ କରାଯିବାର ଆବଶ୍ୟକ ରହିଛି ବୋଲି ଡ.ମିହିର ଜେନା ସୂଚନା ଦେଇଛନ୍ତି । କୋରାପୁଟର ବଣ ଜଙ୍ଗଲ ବିଭିନ୍ନ ପ୍ରକାରର ପକ୍ଷୀ, କୀଟ ପତଙ୍ଗଙ୍କୁ ଆକୃଷ୍ଟ କରି କୋରାପୁଟ ଜିଲ୍ଲାକୁ ଜୈବ ବିବିଧତାର ଏକ ଉତ୍କୃଷ୍ଟ ଅଞ୍ଚଳ ଭାବେ ସୁନାମ ଆଣିଦେଇଛି । ମାନସିକ ସ୍ଵାସ୍ଥ୍ୟକୁ ପକ୍ଷୀଙ୍କ ଉପସ୍ଥିତି ପ୍ରଭାବିତ କରୁଥିବା ଯୋଗୁଁ କୋରାପୁଟ ଅଞ୍ଚଳର ଲୋକଙ୍କ ସ୍ବାସ୍ଥ୍ୟ ଭଲ ରହିବା ପାଇଁ ବଣ ଜଙ୍ଗଲ ସହ ପଶୁ ପକ୍ଷୀଙ୍କ ଉପସ୍ଥିତିକୁ ସହାୟକ ହେଉଥିବା ପରିବେଶକୁ ସୃଷ୍ଟି କରିବା ଓ ସୁରକ୍ଷା ପ୍ରଦାନ କରିବାର ଆବଶ୍ୟକତା ରହିଥିବା ସ୍ପ୍ରେଡ ସ୍ଵେଚ୍ଛାସବୀ ସଂଗଠନର ସମ୍ପାଦକ ବିଦ୍ୟୁତ ମହାନ୍ତି ମତ ରଖିଛନ୍ତି ।

ଜୈବ ବିବିଧତା ସଂରକ୍ଷଣ ଲକ୍ଷ୍ୟ

ଏହା ବି ପଢନ୍ତୁ- ହଜିଯାଉଛି ପାରମ୍ପରିକ କାରୁକାର୍ଯ୍ୟ, ପଥରକୁ ଜୀବନ ଦେଉଥିବା କାରିଗର ହାତ ଖାଲି

ଦେଓମାଳି ପର୍ବତମାଳା ଓ ଗୁପ୍ତେଶ୍ଵରର ଶୈବ ପୀଠ ଚାରିପଟେ ଥିବା ପାହାଡ଼ ଓ ଜଙ୍ଗଲରେ ବହୁ ଦୁର୍ମୂଲ୍ୟ ଜୀବଜଗତ ରହିଛି । ତେବେ ରକ୍ଷଣାବେକ୍ଷଣ ଅଭାବ ଓ ଜଙ୍ଗଲ ନଷ୍ଟ କରାଯାଉଥିବା କାରଣରୁ ଏହି ସମ୍ପଦ ନଷ୍ଟ ବିନଷ୍ଟ ହେବାରେ ଲାଗିଛି । ଏ ବିଷୟରେ ଗବେଷଣା ସହିତ ସେଗୁଡିକର ସଂରକ୍ଷଣ ଓ ପୁନରୁଦ୍ଧାର କରାଯାଇପାରିଲେ କୋରାପୁଟ ପୁଣିଥରେ ତାର ପୂର୍ବ ସ୍ଥିତିକୁ ଫେରିପାଇବାରେ ଅସୁବିଧା ହେବ ନାହିଁ ବୋଲି ଡ. ଜେନା କହିଛନ୍ତି । ପରିବେଶ ସୁରକ୍ଷା କହିଲେ କେବଳ ମନ ଇଚ୍ଛା ଗଛ ଲଗାଇଦେବା ନୁହେଁ ବରଂ ଏହି ଅଞ୍ଚଳର ପଶୁପକ୍ଷୀ, କୀଟପତଙ୍ଗ, ଗୁଳ୍ମ ପ୍ରଭୃତିର ବିବିଧତାକୁ ବୁଝିବା ଓ ତାର ଆବଶ୍ୟକତା ଅନୁଯାୟୀ ବୃକ୍ଷ ଚୟନ କରିବା ଓ ଜୀବଜଗତର ସନ୍ତୁଳନ ରକ୍ଷା କରିବା ଆବଶ୍ୟକ ।

ଅତୀତରେ ଅବିଭକ୍ତ କୋରାପୁଟ ଅଞ୍ଚଳ ଜଙ୍ଗଲରେ ପରିପୂର୍ଣ୍ଣ ଥିବା ଯୋଗୁଁ ଏଠିକାର ସ୍ଥାନୀୟ ପରିବେଶ ବାତ୍ୟାର ପ୍ରଭାବରୁ ଏ ଅଞ୍ଚଳକୁ ସୁରକ୍ଷା ପ୍ରଦାନ କରୁଥିଲା । କିନ୍ତୁ ଜଙ୍ଗଲର ଦ୍ରୁତ ହ୍ରାସ ଘଟିବାର ପ୍ରଭାବ ଫାଇଲିନ, ହୁଡହୁଡ ଭଳି ବାତ୍ୟାରେ ଏହି ଅଞ୍ଚଳବାସୀ ପ୍ରତ୍ୟକ୍ଷ ଭାବେ ଅନୁଭବ କରିଛନ୍ତି । ଏହିଭଳି ବଦଳୁଥିବା ପରିସ୍ଥିତିରେ ସବୁ ସ୍ତରର ଲୋକେ ଚର୍ଚ୍ଚା ଆଲୋଚନା କରି ବିହିତ ପଦକ୍ଷେପ ନେବାର ସମୟ ଆସିଥିବା ନେଇ ସେ ସୁଚାଇ ଦେଇଛନ୍ତି । ତେବେ ଏହି ବିଷୟରେ କେବଳ ଚର୍ଚ୍ଚା କରିବା ଅପେକ୍ଷା ସହରଠାରୁ ଗାଁ ପର୍ଯ୍ୟନ୍ତ ଅର୍କିଡ ଭଳି ଜଙ୍ଗଲୀ ପୁଷ୍ପ ଲଗାଇବାକୁ ସେ ଆହ୍ବାନ କରିଛନ୍ତି ।

ଅନେକ ଔଷଧୀୟ ଗୁଣ ସମ୍ପନ୍ନ ଜଙ୍ଗଲି ଗଛ ଲତା ଘରୋଇ ବଗିଚାରେ ବ୍ୟାପକ ଭାବେ ଲଗାଇଲେ କୋରାପୁଟ ଜିଲ୍ଲାର ଜୈବ ବିବିଧତା ସମ୍ପର୍କରେ ନିଜେ ଉପଲବ୍ଧି କରିବା ସହିତ ଅନ୍ୟମାନଙ୍କ ମଧ୍ୟରେ ଏହାର ସଂରକ୍ଷଣ ଦିଗରେ ସଚେତନତା ସୃଷ୍ଟି କରିପାରିବ ବୋଲି ମହାନ୍ତି ଆଶାପୋଷଣ କରିଛନ୍ତି । ଜୈବ ବିବିଧତାର ବ୍ୟାପକତା ବୃଦ୍ଧି ସହ ସହର ଗୁଡିକରେ ଜଳବାୟୁ ପରିବର୍ତ୍ତନ ଦିଗରେ ମଧ୍ୟ ଏହି ବଗିଚା ଗୁଡିକ ସହାୟକ ହୋଇପାରିବ ବୋଲି ଡ. ଜେନା ମତ ରଖିଛନ୍ତି ।

ଇଟିଭି ଭାରତ, କୋରାପୁଟ

Last Updated : Jun 10, 2023, 8:38 PM IST

ABOUT THE AUTHOR

...view details