ଭୁବନେଶ୍ବର:ଆଜିଠୁ ଭୁବନେଶ୍ବରରୁ ଜୟପୁରକୁ ଆରମ୍ଭ ହେବ ଯାତ୍ରୀବାହୀ ବିମାନ ସେବା । ବିମାନ ଚଳାଚଳକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବେ । ଆଜି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ସକାଳ 10.30ରେ ଯାତ୍ରୀବାହୀ ବିମାନ ସେବାର ଶୁଭାରମ୍ଭ କରିବେ ନବୀନ । କାର୍ଯ୍ୟକ୍ରମରେ କେନ୍ଦ୍ର, ରାଜ୍ୟ ସରକାରଙ୍କ ଅଧିକାରୀ ଓ ସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଆ ୱାନ ଏୟାର ଅଧିକାରୀମାନେ ଉପସ୍ଥିତ ରହିବେ । ଏନେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଜୟପୁର ବିମାନବନ୍ଦରରୁ ଯାତ୍ରୀବାହୀ ବିମାନ ଉଡ଼ିବା ପାଇଁ ଗତ 20 ତାରିଖରେ ଡିଜିସିଏ ପକ୍ଷରୁ ଲାଇସେନ୍ସ ଦିଆଯାଇଛି । ଏହାପରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଜୟପୁର-ଭୁବନେଶ୍ବର ଏବଂ ଭୁବନେଶ୍ବର-ଜୟପୁର ବିମାନ ଉଡ଼ିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପ୍ରଥମ ଥର ଭୁବନେଶ୍ବରରୁ ଜୟପୁରକୁ ଯାତ୍ରା କରିବା ପାଇଁ କିଛି ଯାତ୍ରୀ ଇଣ୍ଡିଆ ୱାନ ଏୟାର ସାଇଟରୁ ଅନଲାଇନରେ ଟିକେଟ କରିଛନ୍ତି । ଏଥିସହ ଇଣ୍ଡିଆ ୱାନ ଏୟାର ପକ୍ଷରୁ ଅଫର ପ୍ରାଇସ ଭାବେ ବିମାନରେ ଭୁବନେଶ୍ବରରୁ ଜୟପୁରକୁ ଯିବାପାଇଁ ଟିକେଟ ମୂଲ୍ୟ 999 ଟଙ୍କା ରଖାଯାଇଛି । ଟିକେଟ ବୁକିଂ ଲାଗି ୱେବସାଇଟ indiaoneair.comର ବ୍ୟବସ୍ଥା ରହିଛି । କେନ୍ଦ୍ର ସରକାରଙ୍କ ‘ଉଡାନ’ ଯୋଜନାରେ ବିମାନ ଚଳାଚଳ ଲାଇସେନ୍ସ ମିଳିଛି । ବି’ କାଟାଗୋରି ବିମାନ ଚଳାଚଳ ପାଇଁ ଅନୁମତି ମିଳିଛି ।