କୋରାପୁଟ:ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ବୋରିଗୁମ୍ମା ଠାରେ ମାଘ ମଣ୍ଡେଇ ସହ ଅଞ୍ଚଳର ପ୍ରସିଦ୍ଧ ବାଲିଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ବାଲିଯାତ୍ରା ୩ ବର୍ଷରେ ଥରେ ପାଳିତ ହୋଇଥାଏ । ଗାଁର ମଙ୍ଗଳ କାମନା କରି ରଙ୍ଗୀନ ଆଲୋକ, ତୋରଣ ସାଜସଜ୍ଜା ସହ ଗ୍ରାମଦେବଙ୍କ ପୀଠରେ ଭୈରବଙ୍କୁ ପୂଜା କରାଯାଏ । ତିନି ବର୍ଷରେ ଥରେ ଅନୁଷ୍ଠିତ ଏହି ବାଲିଯାତ୍ରା ପାଇଁ କମିଟି ସଭାପତି, ସରପଞ୍ଚ, କମିଟି ସଦସ୍ୟଙ୍କ ଦ୍ବାରା ପୂର୍ବରୁ ତିଥି ଓ ସମୟ ସ୍ଥିର ହୋଇଥିଲା ।
ପରମ୍ପରା ଅନୁଯାୟୀ, ୯ ଦିନ ପୂର୍ବରୁ ବାଲିରାମ୍ପା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଗ୍ରାମର ମହିଳାମାନେ ବାଜା ବାଜଣା ନାଚଗୀତ ସହ ଶହ ଶହ ଚାଙ୍ଗୁଡ଼ିରେ ବାଲି ଘରକୁ ଆଣି ପୂଜାର୍ଚ୍ଚନା କରିବା ପରେ ଗ୍ରାମର ପ୍ରତି ଘରୁ ମଗା ଯାଇଥିବା ଶସ୍ୟ ବିରି, ମାଣ୍ଡିଆ, ମକା, ବାଜରା, କୋଳଥ ଇତ୍ୟାଦି ବୁଣା ଯାଇଥିଲା । ପୂଜକ ପ୍ରତିଦିନ ସକାଳୁ ଧୂପ ଦୀପ ଦେଇ ପୂଜାପାଠ କରିବା ପରେ ବାଲିଘରୁ ଶସ୍ୟରୁ ଗଜା ହୋଇଥିବା ବାଲି ଚାଙ୍ଗୁଡ଼ିକୁ ଏକ ବିରାଟ ପଟୁଆରରେ ଗ୍ରାମ ଠାକୁରାଣୀ ମନ୍ଦିର ନିକଟ ବାଲିପଡ଼ିଆକୁ ଅଣାଯାଇ କାଠରେ ନିର୍ମିତ ଯୁଗଳ ମୂର୍ତ୍ତିକୁ ସ୍ଥାପିତ କରିଥିଲେ । ଏଥିରେ ମୁଖ୍ୟ ପୂଜାରୀ, ଶିରା ପ୍ରମୁଖ ଉପସ୍ଥିତ ରହି ଆଦିବାସୀଙ୍କ ପରମ୍ପରା ଅନୁଯାୟୀ ଦେବାଦେବୀଙ୍କ ପୂଜାପାଠ କରିଥିଲେ ।