କୋରାପୁଟ:ରାଜ୍ୟ ସରକାରଙ୍କ ଦ୍ବାରା ପ୍ରସ୍ତାବିକ ଖଣି ଖନନକୁ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ବାସିନ୍ଦାଙ୍କ ପ୍ରବଳ ବିରୋଧ । ନନ୍ଦପୁର ବ୍ଲକ ଅନ୍ତର୍ଗତ ବାଲଡା ପର୍ବତରେ ଖନନ ନକରିବାକୁ କୋରାପୁଟ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ । ତେବେ ବାଲାଡା ପାହାଡ ଉପରେ 8ଟି ପଞ୍ଚାୟତବାସୀ ନିର୍ଭର କରୁଥିବା ବେଳେ ଏହାର ଖନନ ଦ୍ବାରା ସେମାନଙ୍କ ଜୀବନଜୀବିକା ଉପରେ ଗଭୀର ପ୍ରଭାବ ପଡ଼ିବ ବୋଲି କହିଛନ୍ତି ଆନ୍ଦୋଳନକାରୀ ।
କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ବାଲଡା ପର୍ବତରେ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରସ୍ତାବିତ ଖଣି ଖନନକୁ ପ୍ରବଳ ବିରୋଧ । ପାହାଡ଼ ଉପରେ ନିର୍ଭର କରୁଥିବା ନନ୍ଦପୁର ବ୍ଲକର ପାଖାପାଖି 8ଟି ପଞ୍ଚାୟତବାସିନ୍ଦା ଏହି ଖନନକୁ ବିରୋଧ କରିଛନ୍ତି । ବାଲଡା ସରପଞ୍ଚଙ୍କ ନେତୃତ୍ବରେ ଶତାଧିକ ସ୍ଥାନୀୟବାସିନ୍ଦା ଏନେଇ କୋରାପୁଟ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଖୁବଶୀଘ୍ର ଏହି ଖନନ ପ୍ରସ୍ତାବରେ ରୋକ୍ ଲଗାଇବା ପାଇଁ ଦାବି କରାଯାଇଛି ।
ଏହାମଧ୍ୟ ପଢନ୍ତୁ..ବେଆଇନ ଖଣି ଖନନ ଉପରେ କେବେ ଲାଗିବ ରୋକ ? ଚିନ୍ତାରେ ପରିବେଶବିତ୍
ତେବେ ସ୍ଥାନୀୟବାସିନ୍ଦାଙ୍କ କହିବାନୁଯାୟୀ, ବାଲଡା ପର୍ବତକୁ ରାଜ୍ୟ ସରକାର କିଛି ବର୍ଷ ପୂର୍ବେ ପର୍ଯ୍ୟଟନ କ୍ଷେତ୍ର ଭାବେ ଘୋଷଣା କରିଥିଲେ । ସେହି କ୍ରମରେ ରାଜ୍ୟ ବନ ବିଭାଗ ଦ୍ଵାରା ବୃକ୍ଷ ରୋପଣ, ଜଳାଶୟର ସୁରକ୍ଷା ପ୍ରଭୃତି କାର୍ଯ୍ୟ କରାଯାଇଥିବା ବେଳେ ପ୍ରଶାସନ ତରଫରୁ ପାହାଡର ତଳୁ ଉପର ପର୍ଯ୍ୟନ୍ତ 5 କିଲୋମିଟର ଯାଏଁ ରାସ୍ତା ନିର୍ମାଣ କରାଯାଇଛି । ଆଉ ମଧ୍ୟ ଏହି ପର୍ବତ ଉପରେ ଥିବା ନାଗେଶ୍ୱରୀ ଗୁମ୍ଫାରେ ପ୍ରତି ବର୍ଷ ଯାତ୍ରା ଅନୁଷ୍ଠିତ ହେବା ସହ ଜନତାଙ୍କ ଆସ୍ଥା ପ୍ରତି ସମ୍ମାନ ଜଣାଇ ଗୁମ୍ଫାର ରକ୍ଷଣା ବେକ୍ଷଣ ମଧ୍ୟ କରାଯାଇଛି । ଏପରି ସ୍ଥଳେ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିକୁ ଅଣଦେଖା କରି ଏହି ପର୍ବତରେ ବକ୍ସାଇଟ୍ ଖଣି ଖନନ ପାଇଁ କୌଣସି କମ୍ପାନୀକୁ ଲିଜ୍ ଦେଲେ ଏହାର ପ୍ରବଳ ବିରୋଧ କରାଯିବ ବୋଲି କୁହାଯାଇଛି ।