କୋରାପୁଟ: ଘରେ ଘରେ ଜଗନ୍ନାଥ । ଭାବଗ୍ରାହୀ କଳାଠାକୁରଙ୍କ ପାଖରେ ବଡ଼ସାନର ଭେଦ ନଥାଏ । ଏହି ଭାବକୁ ଆଖିରେ ରଖି କୋରାପୁଟ ସହର ମଧ୍ୟରେ ଗାନ୍ଧିନଗରର ଏକ କ୍ଷୁଦ୍ର ଗଳିରେ ଟିକି ରଥରେ ବଡ଼ଠାକୁରଙ୍କୁ ବସାଇ ଛୋଟ ଛୋଟ ପିଲା ପାଳିଲେ ବାହୁଡା ଯାତ୍ରା ।
କୋଭିଡ କଟକଣା ଯୋଗୁଁ ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ଚଳିତ ବର୍ଷ ତିନି ଠାକୁରଙ୍କ ଦିବ୍ୟ ରଥ ବଡଦାଣ୍ଡରେ ଗଡ଼ିଲା ନାହିଁ । ସମସ୍ତଙ୍କ ମଧ୍ୟରେ ଏହା ନୈରାଶ୍ୟ ଭରିଦେଇଥିବା ବେଳେ ଏହି ସାହିର ପିଲା ନିଜେ ନିଜେ ରଥଯାତ୍ରା ପାଳିବା ପାଇଁ ନିଷ୍ପତ୍ତି ନେଇଥିଲେ । ପିଲାଙ୍କ ମଧ୍ୟରେ ଏହି ଆଗ୍ରହ ଦେଖି ବଡ଼ ମାନେ ମଧ୍ୟ ସହଯୋଗର ହାତ ବଢ଼ାଇଥିଲେ । ମହିଳାମାନେ ରଥର କପଡା ସିଲାଇ କଲେ ଓ ପୁରୁଷ ମାନେ ପିଲାଙ୍କ ଇଛା ମୁତାବକ ଶାବର ଶ୍ରୀକ୍ଷେତ୍ର ବଡଦାଣ୍ଡରେ ପ୍ରତିବର୍ଷ ଗଡୁଥିବା ଦିବ୍ୟ ରଥର ନକଲ କରି ଛୋଟ ରଥଟିଏ ନିର୍ମାଣ କଲେ । ଶ୍ରୀଗୁଣ୍ଡିଚା ଯାତ୍ରାରେ ସାହିରେ ଜଣକ ଘରକୁ ଶ୍ରୀମନ୍ଦିର ଭାବେ ପରିଗଣିତ କରି ଆଉ ଏକ ଘରେ ଶ୍ରୀଗୁଣ୍ଡିଚା ମନ୍ଦିର ଭାବେ ନବଦିନର ପୂଜାର୍ଚନା ସମ୍ପନ୍ନ କରାଯାଇଥିଲା । ବୁଧବାର ପୁଣିଥରେ ପିଲାମାନେ ତିନି ଠାକୁରଙ୍କୁ ରଥ ଉପରକୁ ପହଣ୍ଡି କରି ଆଣି ପୂର୍ବ ଘରକୁ ଟାଣି ଟାଣି ବାହୁଡା ଯାତ୍ରାରେ ନେଇଯାଇଥିଲେ ।