କୋରାପୁଟ: କୋରାପୁଟ ଜିଲ୍ଲାରେ ହ୍ରାସ ପାଇବାରେ ଲାଗିଛି ଏଡ଼ସ । ଜିଲ୍ଲାରେ ଗତ ୫ ବର୍ଷ ମଧ୍ୟରେ ୨୦.୯୫ ପ୍ରତିଶତ ପଜେଟିଭ ହାର ହ୍ରାସ ପାଇଛି । ଗତ ୨୩ ବର୍ଷରେ କୋରାପୁଟରେ ୩୦୮୦ ଜଣ ଏଡସ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲେ । ସେଥିରୁ ୬୨୭ ଜଣଙ୍କ ଜୀବନ ଯାଇଛି । ଗତ ୨୦୧୯ ପର ଠାରୁ କୌଣସି ବି ଏଡ଼ସ ଆକ୍ରାନ୍ତରଙ୍କର ମୃତ୍ୟୁ ଘଟି ନଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି ।
ଓଡ଼ିଶା ସରକାରଙ୍କ ଉତ୍ତମ ପଦକ୍ଷେପ ଓ ସଚେତନତା ଯୋଗୁଁ କୋରାପୁଟ ଜିଲ୍ଲାରେ ହ୍ରାସ ପାଇଛି ଏଡ଼ସ । ଏଡସକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଣୟନ ହୋଇଥିବା ଯୋଜନା ଯୋଗୁଁ ଜିଲ୍ଲାରେ ଗତ ୫ ବର୍ଷ ମଧ୍ୟରେ ୨୦.୯୫ ପ୍ରତିଶତ ପଜେଟିଭ ହାର ହ୍ରାସ ପାଇଛି । ତେବେ ସବୁଠାରୁ ଉଦବେଗ ଅଞ୍ଚଳ ରହିଥିବା ଜୟପୁର, କୋରାପୁଟ ଓ ସେମିଳିଗୁଡାରେ ନିମ୍ନ ମୁଖୀ ହୋଇଛି ଏଡ଼ସ । ଜିଲ୍ଲାରେ ଏବେ ୨୧୮୦ ଜଣ ଏଡ଼ସ ରୋଗୀ ରହିଥିବା ବେଳେ ବିଭିନ୍ନ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମରେ ସେମାନଙ୍କୁ ସୁବିଧା ଯୋଗାଇ ଦିଆଯାଉଛି । ଏହାସହ ଘର, ପାନୀୟ ଜଳ, ଔଷଧ, ଭତ୍ତା ଓ ଅନ୍ୟ ସୁବିଧା ଯୋଗାଇ ଦିଆଯାଉଛି । ଜିଲ୍ଲାର ବନ୍ଧୁଗାଁରେ ୧୨ ଜଣ ରୋଗୀ, ବୈପାରିଗୁଡାରେ ୬୪ଜଣ, ବୋରିଗୁମ୍ମାରେ ୧୮୮ ଜଣ, ଦଶମନ୍ତପୁରରେ ୧୨ ଜଣ, ଜୟପୁରରେ ୮୧୦ ଜଣ, କୋରାପୁଟରେ ୪୧୧ ଜଣ, କୋଟପାଡରେ ୧୭୮ ଜଣ, କୁନ୍ଦୁରାରେ ୩୭ ଜଣ, ଲମତାପୁଟରେ ୧୦ଜଣ, ଲକ୍ଷ୍ମୀପୁରରେ ୩୧ ଜଣ, ନନ୍ଦପୁରରେ ୩୫ ଜଣ, ନାରାୟଣପାଟଣାରେ ୨୨ ଜଣ, ପଟାଙ୍ଗୀରେ ୭୦ଜଣ ଓ ସେମିଳିଗୁଡାରେ ୩୦୦ ଜଣରୋଗୀ ଚିହ୍ନଟ ହୋଇଛନ୍ତି । ଏହି ରୋଗୀଙ୍କୁ ପ୍ରତି ମାସର ଏକ ନିଦ୍ଧିଷ୍ଟ ସମୟରେ ଔଷଧ ପ୍ରଦାନ କରାଯାଉଛି । ଯେଉଁମାନେ ନିୟମିତ ଭାବେ ଔଷଧ ଖାଉଛନ୍ତି ସେମାନେ ସୁଖରେ ଜୀବନ ଯାପନ କରୁଛନ୍ତି । ଏନେଇ ଜିଲ୍ଲା ଏଡ଼ସ ନିୟନ୍ତ୍ରଣ ଅଧିକାରୀ ପ୍ରଶାନ୍ତ ସାମଲ କହିଛନ୍ତି ଯେ ୫ ବର୍ଷରେ ଜିଲ୍ଲାରେ ୫୮୬ ଜଣ ଚିହ୍ନଟ ହୋଇଥିବାବେଳେ କୌଣସି ରୋଗୀ ମୃତ୍ୟୁବରଣ କରି ନାହାନ୍ତି ।