କୋରାପୁଟ:ଜିଲ୍ଲାର ସାଂସ୍କୃତିକ ପ୍ରାଣକେନ୍ଦ୍ର ଭାବେ ପରିଚୟ ହାସଲ କରିଛି ଜୟପୁର । ପୀଢ଼ିପୀଢ଼ି ଧରି ସଙ୍ଗୀତକୁ ସାଥି କରି ଅଞ୍ଚଳବାସୀଙ୍କୁ ମନ୍ତ୍ରମୁଗ୍ଧ କରିଛି । ଏଠାକାର କଳାକାରଙ୍କ କଳା ପ୍ରଦର୍ଶନ ପାଇଁ କୋରାପୁଟ ଜିଲ୍ଲାରେ ଉପଯୁକ୍ତ ସ୍ଥାନର ଅଭାବ ରହିଥିବା ଯୋଗୁଁ ବର୍ତ୍ତମାନ ଜୟପୁର ସହରରେ ତିନୋଟି ବିଶାଳ ଅଡିଟୋରିଅମ ନିର୍ମାଣ କରାଯାଉଥିବା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଜଣାଇଛନ୍ତି ।
ବିକ୍ରମ ଦେବ କଳା ଶିକ୍ଷା କେନ୍ଦ୍ରରେ ସ୍ନାତକ ଡିଗ୍ରୀ ପାଠ୍ୟକ୍ରମ ଖୋଲି ଯାଇଥିବା ଯୋଗୁଁ ପାଞ୍ଚ ଏକର ଜାଗାରେ ଏହି ମହାବିଦ୍ୟାଳୟର ନୂତନ ପରିସର ମଧ୍ୟରେ କଳା କ୍ଷେତ୍ର ସୃଷ୍ଟି କରାଯାଇ ଏ ଅଞ୍ଚଳର କଳା ଓ ସଂସ୍କୃତିର ପ୍ରସାର କରାଯିବାର ଯୋଜନା ରହିଛି । ଜୟପୁରର ଜଗନ୍ନାଥ ସାଗର କୂଳରେ ସ୍ବର ଘୁଙ୍ଗୁର ଅନୁଷ୍ଠାନ ତରଫରୁ ଆୟୋଜିତ ଶାସ୍ତ୍ରୀୟ ସଙ୍ଗୀତ ଆସରରେ ଯୋଗ ଦେଇ ବିଶିଷ୍ଟ ସଙ୍ଗୀତ ପ୍ରୋତ୍ସାହକ ତଥା କଳାକାର ଧୀରେନ ପଟ୍ଟନାୟକଙ୍କ ସମେତ ଜୟପୁରରେ ସଙ୍ଗୀତ କଳାର ବିକାଶ ଦିଗରେ ଅଭୂତପୂର୍ବ କାର୍ଯ୍ୟ ସମ୍ପାଦନ କରିଥିବା କଳାକାରଙ୍କୁ ସମ୍ମାନିତ କରାଯାଇଥିଲା । ଜୟପୁରରେ ସମସ୍ତ ଶାସ୍ତ୍ରୀୟ କଣ୍ଠଶିଳ୍ପୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସଙ୍ଗୀତରେ ମନ୍ତ୍ରମୁଗ୍ଧ ହୋଇଥିଲେ ଦର୍ଶକ । କୋରାପୁଟ ଜିଲ୍ଲରେ କଳା ସଂସ୍କୃତିର ପ୍ରସାର ପାଇଁ ସମସ୍ତ ପ୍ରୟାସ ଚାଲିଥିବା କହିଛନ୍ତି ବିଧାୟକ ତାରାପ୍ରାସାଦ ବାହିନୀପତି ।