କୋରାପୁଟ: ଗତ ୧ମାସରୁ ଊର୍ଦ୍ଧ୍ବ ସମୟ ଧରି ଅଙ୍ଗନବାଡ଼ି କେନ୍ଦ୍ର ଗୁଡିକ ବନ୍ଦ ପଡ଼ିଛି । ଅଙ୍ଗନବାଡ଼ି କର୍ମୀ ଓ ସରକାରଙ୍କ ମଧ୍ୟରେ ବିବାଦ ଛିଡ଼ୁ ନାହିଁ । ଚାକିରିକୁ ସ୍ଥାୟୀ କରିବା ସାଙ୍ଗକୁ ଦରମା ବୃଦ୍ଧି ଦାବିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଅଙ୍ଗନବାଡ଼ି କର୍ମୀ ଭୁବନେଶ୍ୱରରେ ଧାରଣାରେ ବସିଛନ୍ତି । ହେଲେ କୌଣସି ସମାଧାନ ହେଉନି । ଏନେଇ ଗତକାଲି ଅଙ୍ଗନବାଡ଼ି କର୍ମଚାରୀ ପୁଣିଥରେ ନ୍ୟାର୍ଯ୍ୟଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି । ଏହି ଆନ୍ଦୋଳନ ଯୋଗୁଁ ଅଙ୍ଗନବାଡ଼ିରେ ଦିଆଯାଉଥିବା ଖାଦ୍ୟ ପାଇପାରୁନାହାଁନ୍ତି ପିଲା । ଫଳରେ ପିଲାଙ୍କ ମଧ୍ୟରେ ଅପପୃଷ୍ଟି ବଢ଼ି ଚାଲିଛି ଓ ଗର୍ଭବତୀ ମହିଳାଙ୍କ ପଞ୍ଜିକରଣ ମଧ୍ୟ ହୋଇପାରୁନାହିଁ ।
ସୂଚନାନୁସାରେ ଆଜିକୁ ପ୍ରାୟ ୧ମାସରୁ ଊର୍ଦ୍ଧ୍ବ ଦିନ ପୂରଣ ହୋଇଯାଇଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଉନାହାଁନ୍ତି । ସରକାରଙ୍କର ସମସ୍ତ ଯୋଜନାରେ ଅଙ୍ଗନବାଡି କର୍ମୀମାନେ ଲଗାତାର ସହଯୋଗ କରିଆସୁଛନ୍ତି । ନିଜ ଜୀବନକୁ ପାଣି ଛଡାଇ ମଧ୍ୟ କରୋନାରେ କାମ କରିଛନ୍ତି । ନିଜର ସ୍ବଳ୍ପ ଦରମାରେ ବାରମ୍ବାର କାର୍ଯ୍ୟାଳୟକୁ ଆସିବା ଏବଂ ଖର୍ଚ୍ଚାନ୍ତ ହେଉଛନ୍ତି ବୋଲି ଅଭିଯୋଗ କରିଥିଲେ ।
ଏପରିକି ସରକାର ଅଙ୍ଗନବାଡି କେନ୍ଦ୍ର ଚଳାଇବା ପାଇଁ ଯାହା ଟଙ୍କା ଦେଉଛନ୍ତି ସେତିକିରେ ପରିବାର ଚଳାଇବା ମୁସକିଲ ହୋଇପଡୁଛି । ଆଜିର ବଜାର ଦର ଆକାଶ ଛୁଆଁ ହୋଇଯାଇଛି । ଅଲ ଓଡିଶା ଅଙ୍ଗନବାଡି ଲେଡିଜ ଓ୍ବାର୍କସ ଆସୋସିଏସନ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଏନେଇ ୮ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ଦାବି ଗୁଡିକ ମଧ୍ୟରେ ରହିଛି ୨୦୧୮ ମସିହାରେ ଆନ୍ଦୋଳନ ସମୟରେ ବହିଷ୍କୃତ ହୋଇଥିବା ୬ ଜଣ ଅଙ୍ଗନବାଡି କର୍ମୀଙ୍କୁ ପୁନଃ ନିଯୁକ୍ତି ପ୍ରଦାନ କରାଯାଉ । ଅଙ୍ଗନବାଡି କର୍ମଚାରୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ କରାଯାଉ। ଯେଉଁଦିନ ପର୍ଯ୍ୟନ୍ତ ମାନ୍ୟତା ଦିଆନଯାଇଛି ସେତେଦିନ ପର୍ଯ୍ୟନ୍ତ କର୍ମୀମାନଙ୍କୁ ୧୮ ହଜାର ଟଙ୍କା ଓ ସହାୟିକାମାନଙ୍କୁ ୯ ହଜାର ଟଙ୍କା ପ୍ରଦାନ କରାଯାଉ ।
ସେହିପରି ଇପିଏଫ, ଏଏସଆଇସି ଓ ଗ୍ରାଚ୍ୟୁଇଟିରେ ସାମିଲ କରାଯାଉ । ମିନି ଅଙ୍ଗନବାଡି ଉଚ୍ଛେଦ କରି ମିନି ଅଙ୍ଗନବାଡି କର୍ମୀଙ୍କୁ ମୁଖ୍ୟ ଅଙ୍ଗନବାଡି କର୍ମୀର ମାନ୍ୟତା ଦିଆଯାଉ । ସମସ୍ତ ଅଙ୍ଗନବାଡି କର୍ମୀ ଓ ସହାୟିକାମାନଙ୍କୁ ଅବସରକାଳୀନ ସହାୟତା ରାଶି ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବା ସହ ମାସିକ ୫ ହଜାର ଟଙ୍କା ପ୍ରଦାନ କରାଯାଉ ।
କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁବରଣ କଲେ କ୍ଷତିପୂରଣ ବାବଦକୁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଉ । ଗାଁ କଲ୍ୟାଣ ସମିତିରୁ ଅଙ୍ଗନବାଡି କର୍ମୀଙ୍କୁ ବାଦ ଦିଆଯାଉ । ଗ୍ରୀଷ୍ମ ଅବକାଶକୁ ଲାଗୁ କରାଯାଉ । ଅଙ୍ଗନବାଡି କର୍ମୀଙ୍କୁ ପ୍ରି-ପ୍ରାଇମେରୀ ଶିକ୍ଷୟିତ୍ରୀ ମାନ୍ୟତା ଦିଆଯାଉ । ୫୦ ପ୍ରତିଶତ ଅଙ୍ଗନବାଡି କର୍ମୀଙ୍କୁ ପଦନ୍ନୋତି ଦିଆଯାଉ ବୋଲି ଦାବି କରିଥିଲେ ।