କୋରାପୁଟ: କୋଟିଆକୁ ନିଜ ଅକ୍ତିକାରକୁ ନେବାକୁ ଗୋଟିଏ ପରେ ଗୋଟିଏ ଚାଲ ଚଲଉଛି ଆନ୍ଧ୍ର । ବାରମ୍ବାର ନୂଆ ନୂଆ ଯୋଜନା କରି ଫେଲ୍ ହେବା ପରେ ଏବେ କୋଟିଆର 2 ଗାଁର ଗୃହପାଳିତ ପଶୁଙ୍କୁ ଦେଇଛି ଟିକା । ଓଡିଶା-ଆନ୍ଧ୍ର ସୀମାବର୍ତ୍ତୀ କୋଟିଆ ପଞ୍ଚାୟତର ଧୂଳିପଦର, ତଳ ସେମ୍ବି ଗାଁରେ ଗତକାଲି(ବୁଧବାର) ଆନ୍ଧ୍ର ସରକାରଙ୍କ ପ୍ରାଣୀଧନ ବିଭାଗ ଦ୍ଵାରା ଗୋରୁଗାଈ, ଛେଳି ମେଣ୍ଢାଙ୍କୁ ଟିକା ପ୍ରଦାନ କରାଯାଇଥିବାବେଳେ ଆନ୍ଧ୍ରପ୍ରଦେଶର ସିପିଏମ ଆଦିବାସୀ ନେତା ଏ.କୋଟାୟା କୋଟିଆର ବିଭିନ୍ନ ଗ୍ରାମ ପରିଦର୍ଶନ କରିଛନ୍ତି ।
କୋଟିଆର ଲୋକଙ୍କ ସାମଗ୍ରିକ ବିକାଶ ନିମନ୍ତେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଆବଶ୍ୟକ ବୋଲି ସେ ମତ ରଖିଛନ୍ତି । ଅପରପକ୍ଷେ ସାଲୁର ବିଧାୟକ ରାଜନ ଦୋରା ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ କୋଟିଆ ସମ୍ପର୍କରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ କଥାବାର୍ତ୍ତା କରିବା ପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ ଚେଷ୍ଟା କରୁଥିବା ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ଏହାକୁ ନେଇ କୋରାପୁଟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।