କୋରାପୁଟ: କୋଟିଆ ପଞ୍ଚାୟତକୁ ନିଜର କରିବା ପାଇଁ କଳେ ବଳେ ଲାଗିପଡିଛି ଆନ୍ଧ୍ର । କିନ୍ତୁ ଆନ୍ଧ୍ରର ଗୋଟିଏ ପରେ ଗୋଟିଏ ଯୋଜନା ପଣ୍ଡ କରୁଛି ଓଡିଶା । କୋଟିଆ ପଞ୍ଚାୟତର ସେମ୍ବିରେ ନିର୍ମାଣ ହୋଇଥିବା ବିଜୁ ପକ୍କା ଘରକୁ ଦଖଲ କରି ଫୋଷ୍ଟ ଅଫିସ ଖୋଲିଥିଲା ଆନ୍ଧ୍ର । ବିଜୁ ପକ୍କା ଘରେ ପୋଷ୍ଟ ଅଫିସ କର୍ମକର୍ତ୍ତା ଲାଲ ରଙ୍ଗ ବୋଳି ତେଲୁଗୁରେ ପୋଷ୍ଟ ଅଫିସର ବିସ୍ତୃତ ବିବରଣୀ ମଧ୍ୟ ଲେଖାଯାଇଥିଲା । କିନ୍ତୁ ଆନ୍ଧ୍ରର ଏହି ଚକ୍ରାନ୍ତକୁ ପଣ୍ଡ କରିଛନ୍ତି ପଟ୍ଟାଙ୍ଗୀ ବ୍ଲକ ଅଧିକାରୀ । ଘଟଣା ସ୍ଥଳରେ ପହଞ୍ଚି ବିଜୁ ପକ୍କା ଘରେ ନାଲି ରଙ୍ଗ ଉପରେ ଧଳା ରଙ୍ଗ ମାରି ଆନ୍ଧ୍ର ଅଧିକାରୀଙ୍କ ଏପରି ଅନୈତିକ ଅନୁପ୍ରବେଶକୁ ଶକ୍ତ ବିରୋଧ କରଛନ୍ତି ବ୍ଲକ ଅଧିକାରୀ ।
ଓଡିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ କୋଟିଆ ପଞ୍ଚାୟତକୁ ନେଇ ସୀମା ବିବାଦ ଲାଗି ରହିଛି । କୋଟିଆ ସୀମାରେ ଅନୁପ୍ରବେଶ କରି ଗୋଟିଏ ପରେ ଗୋଟିଏ ବିଶୃଙ୍ଖଳା ଆଚରଣ କରିଚାଲିଛି ଆନ୍ଧ୍ର । ଏବେ ସେମ୍ବିରେ ପୋଷ୍ଟ ଅଫିସ ଖୋଲିବା ସହ ସେହି ଗାଁକୁ ଆନ୍ଧ୍ରପ୍ରଦେଶରେ ସାମିଲ କରିବାକୁ ଚକ୍ରାନ୍ତ କରିଥିଲା ଆନ୍ଧ୍ର । ଏନେଇ ଖବର ପାଇବା ପରେ ଶୁକ୍ରବାର ପଟ୍ଟାଙ୍ଗୀ ତହସିଲଦାର, କୋଟିଆ ରାଜସ୍ବ ନିରୀକ୍ଷକ, କୋଟିଆ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଏହାପରେ ଆନ୍ଧ୍ର ଦ୍ବାରା ଲଗାଯାଇଥିବା ପୋଷ୍ଟ ଅଫିସର ନାମ ଫଳକକୁ ହଟାଇବା ସହ ଲାଲ ରଙ୍ଗ ଉପରେ ପୁଣି ଧଳା କଲର ଦେଇ ଫେରିଥିଲେ ।
ଏହା ମଧ୍ୟ ପଢନ୍ତୁ-Kotia Dispute: ପ୍ରତିଶୋଧ ନେଲା ଆନ୍ଧ୍ର, କାଲି ତଡାଖାଇବା ପରେ ଆଜି ଯୋଗାଇଲା ସ୍ୱାସ୍ଥ୍ୟସେବା