କୋରାପୁଟ:ବିବାଦୀୟ କୋଟିଆକୁ ନେଇ ଓଡିଶା-ଆନ୍ଧ୍ର ମଧ୍ୟରେ ଲାଗି ରହିଛି ଛକାପଞ୍ଝା । କୋଟିଆ ଅକ୍ତିଆର କରିବାକୁ ସବୁପ୍ରକାର ଚେଷ୍ଟା ଚଳାଇଛି ପଡୋଶୀ ଆନ୍ଧ୍ର । କେତେବେଳେ ଲୋକଙ୍କୁ ଓଡିଶା ସରକାରଙ୍କ ବିରୁଦ୍ଧରେ ପ୍ରବର୍ତ୍ତାଉଛି ତ ଆଉ କେବେ ବିଭିନ୍ନ କଲ୍ୟାଣକାରୀ ଯୋଜନା ପ୍ରସ୍ତୁତ କରୁଛି । ଇତିମଧ୍ୟରେ ଓଡିଶା ପକ୍ଷରୁ ଗତକାଲି(ମଙ୍ଗଳବାର) କୋଟିଆ ପଞ୍ଚାୟତ ଅନ୍ତର୍ଗତ ନେରେଡିବାଲସାରେ ଓଡିଶା ସରକାରଙ୍କ ଦ୍ୱାରା ପରିଚାଳିତ ସ୍କୁଲ ଖୋଲିଛି । ଓଡିଶାର ପ୍ରତିଟି କାର୍ଯ୍ୟରେ ବ୍ୟତିବ୍ରସ୍ତ ହୋଇଉଠୁଥିବା ଆନ୍ଧ୍ର ପୋଲିସ ସ୍କୁଲ ଖୋଲିବା ପରେ ତୁରନ୍ତ ସେଠାରେ ପହଞ୍ଚି ପଇଁତରା ମାରିଥିବା ଦେଖାଯାଇଛି ।
ଏଥିସହିତ ଆନ୍ଧ୍ର ସରକାରଙ୍କ ପକ୍ଷରୁ ନେରେଡିବାଲସାରେ ସ୍ବତନ୍ତ୍ର ଗ୍ରମାସଭା ଆୟୋଜନ କରାଯାଇ ଆଞ୍ଚଳିକ ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ଅପରପକ୍ଷେ ପଟ୍ଟାଙ୍ଗି ବିଡିଓ ସୌମ୍ୟ ସାର୍ଥିକ ମିଶ୍ରଙ୍କ ଉପସ୍ଥିତିରେ ନେରେଡିବାଲାସା ଓ ଆଖପାଖ ଗାଁରେ ଓଡିଆରେ ଲେଖା ବୋର୍ଡ ଲଗାଯାଇଥିବା ସୂଚନା ମିଳିଛି ।