କୋରାପୁଟ: ଆଜି(ଶନିବାର) ପୁଣିଥରେ କୋଟିଆରେ ମୁହାଁମୁହିଁ ହୋଇଛି ଓଡ଼ିଶା-ଆନ୍ଧ୍ର । ଆନ୍ଧ୍ରପ୍ରଦେଶର ତୋନମ ସ୍ବାସ୍ଥ୍ୟକେନ୍ଦ୍ରରୁ ସ୍ବାସ୍ଥ୍ୟକର୍ମୀ ଉପର ସେମ୍ବୀରେ ସାପ୍ତାହିକ ଟୀକାକରଣ ଶିବିରରେ ଟିକା ଦେବା ପାଇଁ ଆସିଥିଲେ । ତେବେ ଓଡ଼ିଶାର ପୋଲିସ ଓ ପ୍ରଶାସନିକ ଅଧିକାରୀ ସେମାନଙ୍କୁ ଅଟକାଇବା ପରେ ଫେରିଯିବା ପାଇଁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି ।
ଗତକାଲି ତଳ ଗଞ୍ଜେଇପଦରରେ ଓଡିଶା ସରକାରଙ୍କ ତରଫରୁ ଚକ୍ଷୁ ଚିକିତ୍ସା ଶିବିର ଆୟୋଜିତ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶର ସ୍ବାସ୍ଥ୍ୟ ଟିମ ନେରେଡିବାଲାସା ଓ ଧୂଳିପଦରରେ ସ୍ବାସ୍ଥ୍ୟ ଶିବିର ଓ ଜନ ସମ୍ପର୍କ ଶିବିର ଆୟୋଜନ କରିଥିଲେ । ଗତ କିଛିଦିନ ଧରି କୋଟିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଆନ୍ଧ୍ରପ୍ରଦେଶର ସରକାରୀ ଅଧିକାରୀ ଆସି ସ୍ବାସ୍ଥ୍ୟ ଶିବିର ଓ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟକ୍ରମ କରି କୋଟିଆ ଅଧିବାସୀଙ୍କୁ ଆନ୍ଧ୍ର ଆଡକୁ ଆକର୍ଷିତ କରିବା ପାଇଁ ପ୍ରଚେଷ୍ଟା କରିଚାଲିଛନ୍ତି ।