କୋରାପୁଟ : ଆନ୍ଧ୍ର ସରକାରଙ୍କ ଦ୍ବାରା ଆଜି ସମଗ୍ର ଆନ୍ଧ୍ରପ୍ରଦେଶ ସମେତ ଓଡ଼ିଶାର କୋଟିଆ ପଞ୍ଚାୟତରେ ଜିଲ୍ଲା ପରିଷଦ ନିର୍ବାଚନ । ଗଞ୍ଜେଇପଦର , ଫାଟୁସିନେରୀ ଓ ଫଗୁଣସିନେରୀର ଭୋଟରଙ୍କୁ ସାମିଲ କରି ଜ଼ିଲ୍ଲା ପରିଷଦ ନିର୍ବାଚନ କରୁଛି ଆନ୍ଧ୍ର । ତେବେ ଏହି ଘଟଣାକୁ ନେଇ ଓଡିଶା ଓ ଆନ୍ଧ୍ରପ୍ରଦେଶର ପ୍ରଶାସନ ମଧ୍ୟରେ ଛକାପଞ୍ଝା ଜାରି ରହିଛି । ଆଜି ସକାଳୁ ନେରେଡିବାଲାସା ଠାରେ ଆନ୍ଧ୍ର ସରକାରଙ୍କ ଦ୍ବାରା ତଳ ଗଂଜେଇପଦରର ଲୋକଙ୍କ ପାଇଁ ଖୋଲାଯାଇଥିବା ପୋଲିଂ ବୁଥକୁ ପହଞ୍ଚିବା ଏକପ୍ରକାର ଅସମ୍ଭବ କାରଣ ଓଡିଶା ସରକାରଙ୍କ ଦ୍ବାରା ଲଗାଯାଇଥିବା କୋଭିଡ଼ କଟକଣାର ଫାଟକ ଡେଇଁ ଆସିବା ସହଜ ନୁହେଁ ।
ଧୂଳିପଦର ନିକଟରେ ଓଡିଶା ସରକାରଙ୍କ ତନଖି ଫାଟକ ନିକଟରେ ଆନ୍ଧ୍ର-ଓଡ଼ିଶାର ଅଧିକାରୀ ଏବଂ ପୋଲିସର ଆଲୋଚନା ଚାଲିଛି । କୋରାପୁଟ ଜିଲ୍ଲା ପ୍ରଶାସନ କୋଟିଆ ଅଞ୍ଚଳରେ କୋଭିଡ଼ ସଂକ୍ରମଣ ବୃଦ୍ଧି ପାଉଥିବା ଯୋଗୁଁ ସମଗ୍ର ପଞ୍ଚାୟତରେ ସମଗ୍ର ପଞ୍ଚାୟତରେ ବୁଧବାର ସନ୍ଧ୍ୟାରୁ ଶୁକ୍ରବାର ସନ୍ଧ୍ୟା ପର୍ଯ୍ୟନ୍ତ 144 ଧାରା ଜାରି କରାଯାଇଛି । ଏହାସହ ପ୍ରତ୍ୟେକ ଗ୍ରାମରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି ।