କୋରାପୁଟ: ସରକାରଙ୍କ ପ୍ରତିଶ୍ରୁତିର ଅନେକ ଦିନର ପ୍ରତୀକ୍ଷା ପରେ ଗୋଟିଏ ଆମ୍ବୁଲାନ୍ସ କୋଟିଆରେ ସେବା ପ୍ରଦାନ କରିବା ଆରମ୍ଭ କରିଛି । ଗତ କିଛିଦିନ ପୂର୍ବେ କୋଟିଆ ସମେତ ଲକ୍ଷ୍ମୀପୁର, ଦଶମନ୍ତପୁର, କୋଟପାଡ ଓ ନାରାୟଣପାଟଣା ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଜିଲ୍ଲା ମିନେରାଲ ଫାଉଣ୍ଡେସନର ସହାୟତାରେ ଗୋଟିଏ ଲେଖାଏଁ ଆମ୍ବୁଲାନ୍ସ କୋରାପୁଟ ଜିଲ୍ଲା ପ୍ରଶାସନ ପ୍ରଦାନ କରିଥିବାବେଳେ ଆମ୍ବୁଲାନ୍ସ ଡ୍ରାଇଭର ନିଯୁକ୍ତି ହୋଇନଥିବା ଯୋଗୁଁ କୋଟିଆରେ ସେବା ଆରମ୍ଭ ହୋଇପାରିନଥିଲା ବୋଲି ଜଣାପଡିଛି ।
କୋଟିଆବାସୀଙ୍କ ମୁହଁରେ ଫୁଟିଲା ହସ, ପ୍ରଥମ ଥର ପାଇଁ ଆସିଲା ଆମ୍ବୁଲାନ୍ସ - କୋରାପୁଟରେ ଆମ୍ବୁଲାନ୍ସ ସେବା
ଓଡିଶା ଓ ଆନ୍ଧ୍ର ମଧ୍ୟରେ ଚାଲିଥିବା ସୀମା ବିବାଦ ମଧ୍ୟରେ ଛନ୍ଦି ହୋଇପଡିଥିବା କୋଟିଆବାସୀଙ୍କ ଆମ୍ବୁଲାନ୍ସ ସମସ୍ୟାର ସମାଧାନ ହୋଇଛି । କୋଟିଆ ସମେତ କିଛି ଅଞ୍ଚଳରେ ଆମ୍ବୁଲାନ୍ସ ସେବା ଆରମ୍ଭ । ଅଧିକ ପଢନ୍ତୁ
ତେବେ ଡ୍ରାଇଭର ନିଯୁକ୍ତ ହେବା ପରେ ଆଜି(ବୁଧବାର) ଏହି ଆମ୍ବୁଲାନ୍ସ ଯୋଗେ କୋଟିଆ ପଞ୍ଚାୟତ ଅନ୍ତର୍ଗତ କୁରୁଡିପଦରରୁ ଜିବା ଗେମେଲ ନାମକ ଜଣେ ଗର୍ଭବତୀ ମହିଳାଙ୍କୁ କୋଟିଆ ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ଅଣାଯାଇ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରାଯାଇଛି । ବର୍ତମାନ ମହିଳା ଜଣକ ସୁସ୍ଥ ଥିବାବେଳେ ପ୍ରସବ ହେବା ପର୍ଯ୍ୟନ୍ତ ଚିକିତ୍ସା କେନ୍ଦ୍ରରେ ରହିବେ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ ଜଣାଇଛନ୍ତି । କୋଟିଆ ଭଳି ଦୁର୍ଗମ ଅଞ୍ଚଳରେ ବିଭିନ୍ନ ଗ୍ରାମରୁ ରୋଗୀ କୋଟିଆକୁ ଆସିବା ପାଇଁ ଉପଯୁକ୍ତ ସାଧନ ଅଭାବ ଥିବା ଯୋଗୁଁ ସେମାନେ ଆନ୍ଧ୍ରପ୍ରଦେଶର ସାଲୁରକୁ ଯାଉଥିବାବେଳେ ଆଜିର ଆମ୍ବୁଲାନ୍ସ ସେବା ଆରମ୍ଭ ହେବା ଫଳରେ ଅନେକ ରୋଗୀ ଏହାର ସୁବିଧା ପାଇପାରିବେ ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ