କୋରାପୁଟ: ଆଗ ମାଟି ପରେ ପାର୍ଟି । ନ୍ୟାୟରେ କୋଟିଆ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ । ବିଜେଡି, କଂଗ୍ରେସ ଓ ବିଜେପିର ନେତୃବୃନ୍ଦ ଆଜି କୋରାପୁଟରେ ଗୋଟିଏ ମଞ୍ଚରେ ଏକାଠି ହୋଇ ହାତରେ ହାତ ମିଶାଇଲେ । ଆନ୍ଧ୍ର ସରକାର କୋଟିଆ ଅଞ୍ଚଳରେ ଦାଦାଗିରି ପ୍ରଦର୍ଶନ କରି ଜନସାଧାରଣଙ୍କୁ ଲୋଭନୀୟ ଉପହାର ଦେଇ ନିଜ ଆଡକୁ ଆକର୍ଷିତ କରୁଥିବା ବେଳେ ଏହି କାର୍ଯ୍ୟରେ ଓଡିଶା ମାଟିରେ ରହି ଆନ୍ଧ୍ରକୁ ସହଯୋଗ କରୁଥିବା ବ୍ୟକ୍ତିଙ୍କୁ ଠାବ କରି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେମାନେ ଏକ ସ୍ଵରରେ ଦାବି କରିଛନ୍ତି ।
ସମସ୍ତ ରାଜନୈତିକ ନେତୃବୃନ୍ଦ ଏକାଠି ବସିବା କୋରାପୁଟ ଅଞ୍ଚଳରେ ସଂଗଠିତ ହୋଇଥିବା ଯୋଗୁଁ ଭବିଷ୍ୟତରେ କୋରାପୁଟ ଅଞ୍ଚଳର ଅନ୍ୟାନ୍ୟ ବିବିଧ ସମସ୍ୟାର ସମ୍ମିଳିତ ଭାବେ ସମାଧାନ ଯେ ହୋଇପାରିବ ସେନେଇ ଏକ ଦୃଢ ବିଶ୍ଵାସ ଜନ୍ମିଥିବା ଏହି ବୈଠକର ଆବାହକ ତଥା ବିଜେଡିର ଜିଲ୍ଲା ସଭାପତି ଇଶ୍ଵର ଚନ୍ଦ୍ର ପାଣିଗ୍ରାହୀ ଆଶା ପୋଷଣ କରିଛନ୍ତି । ଆନ୍ଧ୍ର ପ୍ରଦେଶର ଉଚ୍ଚ ନ୍ୟାୟାଳୟ ଆନ୍ଧ୍ର ଦ୍ଵାରା କୋଟିଆ ପଞ୍ଚାଯତର ତିନୋଟି ଗ୍ରାମ ସମେତ ଆନ୍ଧ୍ରର ଅନ୍ୟାନ୍ୟ ଅଞ୍ଚଳରେ କରାଯିବାକୁ ଥିବା ଜିଲ୍ଲା ପରିଷଦ ନିର୍ବାଚନ ଉପରେ ରହିତାଦେଶ ଦେଇଥିଲେ ହେଁ କୋଟିଆ ଅଞ୍ଚଳରେ ଆନ୍ଧ୍ର ସରକାରଙ୍କ ନିର୍ବାଚନ ପ୍ରକ୍ରିୟା ବାତିଲ ହୋଇଯାଇନାହିଁ ।