କୋରାପୁଟ: ଶୀତୁଆ ସକାଳର ସବୁଜ କାକର । ଆଉ ଶୀତର ଆଗମନରେ ଅଳସୀର ସମ୍ଭାର । ସୁନାର ଚାଦର ଘୋଡାଇ ହୋଇ ଯେମିତି ପର୍ଯ୍ୟଟକଙ୍କୁ ହାତଠାରି ଡାକେ କୋରାପୁଟର ପ୍ରକୃତି ରାଣୀ । କୋରାପୁଟର ପାହାଡ଼, ପର୍ବତ, ନଦୀନାଳ ଓ ରାସ୍ତା କଡ ସବୁଠି ଲାଗେ ଯେମିତି ଗୋଟାଏ ସୁନାର ଚାଦର ବିଛାଡି ହୋଇ ପଡିଛି । ହଳଦିଆ ରଙ୍ଗର ଫୁଲରେ ଭରିଯାଇଥାଏ ପୁରା ଅଞ୍ଚଳ ।
ଏହାମଧ୍ୟ ପଢନ୍ତୁ..୧୦ ବର୍ଷ ହେଲାଣି ଅଚଳ ପଡିଛି ଅଳସୀ ତେଲ ଘଣା
ଦେଓମାଳିର ପାଦଦେଶରୁ କୋରାପୁଟ ଅଞ୍ଚଳର କୋଣ ଅନୁକୋଣ ଭରିଯାଏ ହଳଦିଆ ରଙ୍ଗରେ । ଚାଷୀ ତାର ପେଟ ପାଇଁ ଲଗାଇଥିବା ଅଳସୀ କ୍ଷେତ ପର୍ଯ୍ୟଟକଙ୍କୁ ବେଶ ଆକର୍ଷିତ କରିଥାଏ । ଏହି ସମୟରେ ଚାଲି ଆସନ୍ତି ବହୁ ପର୍ଯ୍ୟଟକ ଓ ଚଳଚିତ୍ର ନିର୍ମାତା । ମାଡି ଆସୁଥିବା ଶୀତର କୋହଲା ପବନରେ ଥିରି ଥିରି ହୋଇ ଚହଲି ଉଠିଥିବା ଫୁଲର ବାଡ଼ରେ ନାଚି ଉଠେ ଯୌବନ । ପଥଚାରୀ ଯେତେ ବ୍ୟସ୍ତ ଥିଲେ ବି ଅଳସୀର ଅଳସ ଡାକକୁ ପାସୋରି ପାରେ ନାହିଁ । ଘଡିଏ ଛିଡା ହୋଇଯାଏ ସୁନା ପାହାଡର ସୌନ୍ଦର୍ଯ୍ୟକୁ ଉପଭୋଗ ପାଇଁ । ଆଉ ମନେ ମନେ ଆତ୍ମବିଭୋର ହୋଇ ଉଠେ । କବିର ପ୍ରିୟର ସମୟ ହେଉଛି ଶୀତ । ଶୀତୁଆ ସକାଳରେ ଅଳସୀର ଅଳସ ଭଙ୍ଗାକୁ ନେଇ ରହିଛି ଅନେକ କବିତା । ଅଳସୀର ହଳଦିଆ ଚାଦର ଉପରେ ଶୁଭ୍ର କାକରର ବିନ୍ଦୁ ଆଉ ସବୁଜ ପାହାଡ ପର୍ଯ୍ୟଟକଙ୍କୁ ବାନ୍ଧି ରଖିଥାଏ । ଥରେ ଏହି ଦୃଶ୍ୟ ଦେଖିଲେ ଜୀବନ ସାରା ପାଇଁ ମନରେ ରହିଯାଇଥାଏ ।