କୋରାପୁଟ: କେରାଣ୍ଡି ନଦୀ ଯେଉଁଠି କୋଲାବ ଜଳଭଣ୍ଡାର ସହ ମିଶିଛି ସେଠାରେ ଛିଡାହୋଇ ଆରପଟେ ଦେଖିଲେ ଦେଖାଯାଏ ସୁନାବେଡା ସହର । ଏପଟୁ ଡାକିଲେ ସେପଟକୁ ଶୁଣାଯିବ । ସିଧା ଗଲେ ସହର ଦୁଇ କିଲୋମିଟର ହେବ । ତେବେ ଲେଞ୍ଜିଗୁଡା ଗାଁ ଘାଟରୁ ସୁନାବେଡା ଯିବାକୁ ହେଲେ ମଝିରେ ଜଳଭଣ୍ଡାର ଓ ନଦୀର ପାଣି ଥିବା ଯୋଗୁଁ ଘାଟଗୁଡା ଦେଇ ପ୍ରାୟ ୧୫ କିଲୋମିଟର ବାଟ ବୁଲି ଯିବାକୁ ହୁଏ ।
ଫଳରେ ସ୍କୁଲ ହେଉ, ଡାକ୍ତରଖାନା ହେଉ କିମ୍ବା ବଜାର ସବୁକିଛି ହାତ ପାହାନ୍ତାରେ ଥାଇ ମଧ୍ୟ ଲେଞ୍ଜିଗୁଡା, ଚାଲପାଡି, ମାଳିଗୁଡା ଓ ଗୌଡ଼ଗୁଡା ଭଳି ୨୦ଟି ଗ୍ରାମବାସୀଙ୍କ ପାଇଁ ଏସବୁ ଏବେବି ଦୂରରେ ରହିଛି । ଏନେଇ ଲୋକେ ବହୁବାର ଜିଲ୍ଲା ପ୍ରଶାସନ ଏବଂ ନେତାଙ୍କ ପାଖେ ଗୁହାରି କରିଥିବା ଜଣାଇଛନ୍ତି । କିନ୍ତୁ ତାଙ୍କର ସବୁ ଉଦ୍ୟମ ନିଷ୍ଫଳ ହୋଇଥିଲା, ନା କେହି ତାଙ୍କ କଥା ଶୁଣିଲେ ନା ତାଙ୍କ ଦୁଃଖ ବୁଝିଲେ ।