କୋରାପୁଟ: କୋରାପୁଟ ଏକ ଆଦିବାସୀ ବହୁଳ ଜିଲ୍ଲା ଭାବେ ସର୍ବତ୍ର ଜଣାଶୁଣା । ଏହି ଜିଲ୍ଲାରେ ଥିବା ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ଭିନ୍ନଭିନ୍ନ ଉତ୍ସବ ଓ ବିଭିନ୍ନ ସମୟରେ ପାଳିତ ହେଉଥିବା ସମାନ ଉତ୍ସବ ଜିଲ୍ଲାରେ ଆଦିବାସୀ ପରମ୍ପରାକୁ ଏକ ନୂତନ ପରିଚୟ ପ୍ରଦାନ କରିଛି । ଜିଲ୍ଲାର କୋରାପୁଟ, ପଟ୍ଟାଙ୍ଗି, ଲମତାପୁଟ ପ୍ରଭୃତି ଅଞ୍ଚଳରେ ଆଜି(ସୋମବାର) ଅନେକ ଆଦିବାସୀ ପରିବାର ଚୈତ୍ର ପର୍ବ ଆରମ୍ଭ କରିବା ହେଉ ବା ବେଣ୍ଟକୁ ଯିବା କାର୍ଯ୍ୟ, ଶୁଭାରମ୍ଭ କରିଥିବାବେଳେ ଦିଶାରୀଙ୍କ ଦ୍ବାରା ଘୋଷଣା ହେବା ସହିତ ପାରମ୍ପରିକ ବିହନ ଧରା ଉତ୍ସବ ପାଳନ କରିଛନ୍ତି ।
ଆଜିଠାରୁ ଗ୍ରାମର ଆଦିବାସୀ ଚାଷୀ ପାହାଡ଼ ଡଙ୍ଗରରେ ବୁଣିବା ପାଇଁ ଘରେ ସଞ୍ଚୟ କରି ରଖିଥିବା ବିହନକୁ ଶ୍ରଦ୍ଧାର ସହ ଗାଁ ନିଶାଣି ମୁଣ୍ଡାକୁ ଆଣି ଗ୍ରାମ ଦେବୀଙ୍କ ପାଖରେ ସମର୍ପିତ କରିଛନ୍ତି । ଗାଁ ଦିଶାରୀ ଗ୍ରାମଦେବୀଙ୍କୁ ନିଶାଣୀ ମୁଣ୍ଡା ଠାରେ ପୂଜାର୍ଚ୍ଚନା କରି ଗାଁର ମହିଳା ଆଣିଥିବା ଧାନକୁ ସ୍ପର୍ଶ କରି ପୁଣିଥରେ ତାଙ୍କରି ହାତରେ ଢାଳି ଦେଇଥିଲେ । ଦିଶାରୀଙ୍କ ହାତର ସ୍ପର୍ଶ ପାଇଥିବା ଏହି ବିହନକୁ ଘରେ ସାଇତି ରଖିଥିବା ବିହନ ସହିତ ମିଶାଇଦେଇ ଡଙ୍ଗର ପାହାଡରେ ବୁଣିଲେ ଚାଷବାସ ଭଲ ହୁଏ ବୋଲି ଲୋକଙ୍କ ମନରେ ବିଶ୍ବାସ ରହିଛି ।