କୋରାପୁଟ: କ୍ଷେତରେ ସବୁଜ ତଟକା ପନିପରିବା । ଆଉ ସେହି ଅମଳକୁ ଦେଖି ଚାଷୀ ମୁହଁରେ ଖିଲି ଖିଲି ହସ । ଏ ଦୃଶ୍ୟ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପେଦାଡ଼ାବା ଗାଁର ପାହାଡିଆ ଭୂଇଁର । ଯେଉଁଠାରେ ବର୍ଷା 4 ମାସକୁ ଛାଡିଦେଲେ ଅନ୍ୟ ସମୟରେ ଟାଙ୍ଗରା ଭୂଇଁ ପାଲଟୁଥିଲା କ୍ଷେତ । ଆଉ ତାପରର ଦୃଶ୍ୟ ଆପଣଙ୍କ ଆଗରେ । ମନରେ ପ୍ରଶ୍ନ ନିଶ୍ଚିତ ଯେ, ପାହାଡିଆ ଇଲାକାରେ ଧାନ, ମାଣ୍ଡିଆ ପରି ଭଳିକି ଭଳି ଶସ୍ୟ ସାଙ୍ଗକୁ କିସମ କିସମର ପନିପରିବା ଚାଷ ସମ୍ଭବପର ହେଲା କିପରି ? ତେବେ ଏସବୁ କେବଳ ସମ୍ଭବ ହୋଇପାରିଛି ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା) ମାଧ୍ୟମରେ ।
ସ୍ବଚ୍ଛଳ ନଥିଲା ଗାଁର ଆର୍ଥିକ ସ୍ଥିତି । ପାହାଡ ଉପରୁ ଗଦ ଗଦ ହୋଇ ବହିଯାଉଥିବା ଝରଣା ପାଣି ପହଞ୍ଚି ପାରୁନଥିଲା ଗାଁର ତଳ ମୁଣ୍ଡକୁ । ବର୍ଷାଦିନ ବ୍ୟତିତ ଉପର ମୁଣ୍ଡର ଶହ ଶହ ଏକର ଜମି ପଡିଆ ହୋଇ ରହୁଥିଲା । ଫଳରେ ନନ୍ଦପୁର ବ୍ଲକର କସନ୍ଦି ପଞ୍ଚାୟତ ଅନ୍ତର୍ଗତ ପେଦାଡ଼ାବା ଗ୍ରାମର ଲୋକେ ଦାଦନ ଖଟିବାକୁ ବିଶାଖାପାଟଣା ଓ ଅନ୍ୟାନ୍ୟ ସହରକୁ ଯିବା ପାଇଁ ବାଧ୍ୟ ହେଉଥିଲେ । କିନ୍ତୁ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏନଆରଇଜିଏସ) ମାଧ୍ୟମରେ ଦୂର ପାହାଡ଼ରୁ ବୋହି ଯାଉଥିବା ଜଳଧାରାକୁ ଗାଁ ଭିତରକୁ ଫିଲ୍ଡ଼ କେନାଲ ଦେଇ ଅଣାଯିବା ପରେ ବର୍ତ୍ତମାନ ଗାଁର ସ୍ଥିତି ବଦଳିଛି । ଉପର ମୁଣ୍ଡରେ ଥିବା 150 ଏକର ଜମିରେ ଜଳସେଚନ କରାଯାଇପାରିଛି । ବର୍ଷ ତମାମ ଧାନ, ମାଣ୍ଡିଆ ଭଳି ଶସ୍ୟ ଉତ୍ପାଦନ କରିବା ସହ ଭଳିକି ଭଳି ପନିପରିବା ଚାଷ କରି ଗ୍ରାମବାସୀ ଭଲ ରୋଜଗାର କରୁଛନ୍ତି । ଗାଁରୁ ଦାଦନ ଖଟିବାକୁ କେହି ଯାଉନଥିବା ପଞ୍ଚାୟତ ସରପଞ୍ଚ ରଘୁନାଥ ଖରା ଜଣାଇଛନ୍ତି ।