ଓଡିଶା

odisha

ETV Bharat / state

ହାଡଭଙ୍ଗା ଶୀତକୁ ନାହିଁ ଭୟ, 'ଦେଶିଆ ନାଟ'ରେ ମସଗୁଲ ଦର୍ଶକ - ଆଦିବାସୀଙ୍କ ଅନନ୍ୟ ସଂସ୍କୃତି ଦେଶିଆ ନାଟ

ରାତି ପାହିଯାଇଛି । କିନ୍ତୁ କଳାକାର ମଞ୍ଚ ଉପରେ ସେମିତି ସତେଜ ରହି ଅଭିନୟ କରିଚାଲିଛନ୍ତି । ଏପଟେ ଦର୍ଶକ ବି ଶୀତରାତି କାକରରେ ଚାଦରରେ ଘୋଡାଇ ହୋଇ ନାଟକର ମଜା ନେଉଛନ୍ତି । ଏ ହେଉଛି ଆଦିବାସୀ ବହୁଳ କୋରାପୁଟ ଗିରି କନ୍ଦରରେ ଚାଲିଥିବା ପାରମ୍ପରୀକ ଦେଶିଆ ନାଟର ଏକ ମନୋଲଭା, ଆକର୍ଷଣୀୟ ଦୃଶ୍ୟ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଆଦିବାସୀଙ୍କ ଅନନ୍ୟ ସଂସ୍କୃତି 'ଦେଶିଆ ନାଟ'
ଆଦିବାସୀଙ୍କ ଅନନ୍ୟ ସଂସ୍କୃତି 'ଦେଶିଆ ନାଟ'

By

Published : Jan 22, 2020, 11:11 PM IST

କୋରାପୁଟ: ରାତି ପାହିଯାଇଛି । ହେଲେ କଳାକାର ମଞ୍ଚ ଉପରେ ସେପରି ସତେଜ ରହି ଅଭିନୟ ଜାରି ରଖିଛନ୍ତି । ସେପଟେ ହାଡଭଙ୍ଗା ଶୀତକୁ ଖାତିର ନକରି ଦର୍ଶକ ମଧ୍ୟ ଖୋଲା ଆକାଶ ତଳେ ଖଣ୍ଡିଏ ଉଷୁମ ବସ୍ତ୍ର ଦେହରେ ଘୋଡାଇ ହୋଇ ନାଟକର ଆନନ୍ଦ ଉଠାଉଛନ୍ତି । ଏ ହେଉଛି ଆଦିବାସୀ ବହୁଳ କୋରାପୁଟ ଗିରି କନ୍ଦରରେ ଚାଲିଥିବା ପାରମ୍ପରିକ ଦେଶିଆ ନାଟର ଏକ ମନୋଲଭା, ଆକର୍ଷଣୀୟ ଦୃଶ୍ୟ । ନିଜ ଜୀବନର ଏକ ଅଭିନ୍ନ ଅଙ୍ଗ ଭାବେ କୋରାପୁଟର ଦେଶିଆ ନାଟକୁ ଉପଭୋଗ କରୁଛନ୍ତି ଦର୍ଶକ ।

ଆଦିବାସୀଙ୍କ ଅନନ୍ୟ ସଂସ୍କୃତି 'ଦେଶିଆ ନାଟ'

ବାସ୍ତବ ଜୀବନରେ ଆଧାରିତ ଏହି ଦେଶିଆ ନାଟ କେବଳ ପୌରାଣିକ କଥାବସ୍ତୁକୁ ନେଇ ପ୍ରସ୍ତୁତ ନୁହେଁ ବରଂ ବର୍ତ୍ତମାନର ସମସ୍ୟା ଓ ସମ୍ଭାବନା ସମ୍ଭନ୍ଧରେ ଉପସ୍ଥାପନ କରୁଛି ଜୀବନ୍ତ କାହାଣୀ । ଯାହା କୋରାପୁଟିଆ ଆଦିବାସୀଙ୍କ ପରମ୍ପରା, କଳା ସଂସ୍କୃତି ଏବଂ ପରିଚୟର ପ୍ରତୀକ ସାଜିଛି । ପୀଢିପୀଢି ଧରି ଚାଲିଆସିଥିବା ଏହି କଳାକୁ ପ୍ରଦର୍ଶିତ କରିବାରେ କଳାକାର ଯେତିକି ଆନନ୍ଦ ପାଉଛନ୍ତି ଦର୍ଶକ ମଧ୍ୟ ଟିଭି ଏବଂ ସିନେମାକୁ ପଛରେ ପକାଇ ନିଜ ପରିବାର ସହ ପାରମ୍ପରିକ ନାଟର ଆନନ୍ଦ ନେଉଛନ୍ତି ।

ତେବେ ଦେଶିଆ ନାଟର ପ୍ରଦର୍ଶନ ଯେତିକି ନିଆରା ଏହାର ପ୍ରସ୍ତୁତି ମଧ୍ୟ ସେତିକି ଶ୍ରମସାପେକ୍ଷ । ନାଟ୍ୟଗୁରୁଙ୍କ ପ୍ରାଧାନ୍ୟତାକୁ ବହନ କରୁଥିବା ଏହି କଳାତ୍ମକ ପ୍ରସ୍ତୁତି ମାସ ମାସର ଅଧ୍ୟବସାୟ ଓ ସାଧନାର ଫଳକୁ ପରିପ୍ରକାଶ କରିଥାଏ । ନାଟର ନୂତନ ବିଷୟ ପ୍ରସ୍ତୁତ କରିବା ଠାରୁ ଆରମ୍ଭ କରି କଳାକାରଙ୍କୁ ଦିନ ରାତି ଏକ କରି ନିର୍ଦେଶନା ଦେବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟରେ ନିଜକୁ ସମର୍ପଣ କରିଦେଇଛନ୍ତି ନାଟ୍ୟଗୁରୁମାନେ । ଯାହା ଦେଶିଆ ନାଟ ପ୍ରତି ସେମାନଙ୍କ ଆକର୍ଷଣ ଓ ସମର୍ପଣର ଭାବନାକୁ ପ୍ରକାଶ କରୁଛି।

ଦିନକୁ ଦିନ ବଢି ଚାଲିଥିବା ଦରବୃଦ୍ଧି ଏହି ପାରମ୍ପରିକ ନାଟର ପ୍ରସ୍ତୁତି ଓ ପ୍ରଦର୍ଶନର ଖର୍ଚ୍ଚକୁ ମଧ୍ୟ ବୃଦ୍ଧି କରିଛି । ଫଳରେ ଏହାକୁ ଚଳାଇବା ଉଭୟ କଳାକାର ଏବଂ ନାଟ୍ୟଗୁରୁଙ୍କ ପାଇଁ କାଠିକର ପାଠ ହେଉଛି । ଏଭଳି ନିଆରା , ଅନନ୍ୟ କଳା ସଂସ୍କୃତିକୁ ବଜାୟ ରଖିବାକୁ ସେମାନଙ୍କୁ ଆର୍ଥିକ ସହଯୋଗ ମିଳିପାରୁନାହିଁ । ତେଣୁ ଏ ଦିଗରେ ସରକାରୀ ସହଯୋଗ ମିଳିପାରିଲେ କଳା ଓ କଳାକାର ଦର୍ଶକଙ୍କୁ ଆହୁରି ବିମୋହିତ କରିବା ସହ ନିଜ ଦୈନିକ ଗୁଜୁରାଣ ମେଣ୍ଟାଇ ପାରନ୍ତେ ବୋଲି କୋରାପୁଟ ଅଞ୍ଚଳର ଉଦୀୟମାନ ଯୁବ ନାଟ୍ୟଗୁରୁ ହରିଶ ଚନ୍ଦ୍ର ମାଳି ମତ ରଖିଛନ୍ତି ।

କୋରାପୁଟରୁ ସି.ଏଚ୍‌ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details