କୋରାପୁଟ:ଜିଲ୍ଲାର କୋଟିଆରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ଜାରି ରହିଛି । କୋଟିଆ ପଞ୍ଚାୟତ ତଥା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ନିକଟବର୍ତ୍ତୀ ଗ୍ରାମ ଗୁଡିକର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏ ନେଇ କୋଟିଆ ନିକଟସ୍ଥ ଗଂଜେଇପଦରରେ ଏକ ସ୍ବତନ୍ତ୍ର ଆଦର୍ଶ ବିଦ୍ୟାଳୟ (Adarsha Vidyalaya) ଖୋଲିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ।
ଏ ନେଇ ପୂ୍ର୍ବରୁ ଜିଲ୍ଲା ପ୍ରଶାସନ ତରଫରୁ ସରକାରଙ୍କୁ ଅନୁରୋଧ କରାଯାଇଥିଲା । ସରକାର ଏହାକୁ ଗ୍ରହଣ କରିଛନ୍ତି । ଆଦିବାସୀ ଜାତି ଓ ଜନଜାତି ଉନ୍ନୟନ ବିଭାଗ ତରଫରୁ ନିର୍ମାଣ ହୋଇଥିବା ବଡ ବିଲ୍ଡିଂଗୁଡିକୁ ଅସ୍ଥାୟୀ ଭାବରେ ସ୍ବତନ୍ତ୍ର ଆଦର୍ଶ ବିଦ୍ୟାଳୟ ଭାବରେ କାର୍ଯ୍ୟକ୍ଷମ କରାଯିବ । ଓଡ଼ିଆ ଓ ଇଂରାଜୀ ମାଧ୍ୟମରେ ଶିକ୍ଷା ପ୍ରଦାନ କରାଯାଉଥିବା ଏହି ବିଦ୍ୟାଳୟରେ କୋଟିଆ ଅଞ୍ଚଳର ଆଗ୍ରହୀ ଛାତ୍ରଛାତ୍ରୀ ଉନ୍ନତମାନର ଶିକ୍ଷା ପାଇ ପାରିବେ । ଆସନ୍ତା ଏକାଡେମୀ ବର୍ଷରୁ ନାମଲେଖା ପର୍ଯ୍ୟାୟ ଆରମ୍ଭ ହେବ ।