କୋରାପୁଟ: ଆସ୍ଥା ଓ ବିଶ୍ବାସର ଅନନ୍ୟ ପରିଚୟ ଓଡିଶା । ଏଠାରେ ସମସ୍ତ ଧର୍ମୀୟ ଭାବନାକୁ ସମ୍ମାନ ସହ ମିଳିଥାଏ ସମାନ ସ୍ଥାନ । ଏଭଳି ଏକ ବିଶ୍ବାସର ସ୍ଥାନ ହେଉଛି ସଦର ମହକୁମାଠାରୁ 90 କିଲୋମିଟର ଦୂରରେ ଓଡିଶା-ଆନ୍ଧ୍ର ସୀମାସ୍ଥିତ ନନ୍ଦପୁର ବ୍ଲକ ପାନ୍ତଲୁନ ପଞ୍ଚାୟତ ଅନ୍ତର୍ଗତ ମୁକ୍ତିଆମ୍ବ ଗାଁ । ଯେଉଁଠାରେ ଶ୍ରଦ୍ଧା ଓ ବିଶ୍ବାସର ପ୍ରତୀକ ବାଲ୍ମିକୀ ଆଶ୍ରମ ।
ବାଲ୍ମିକୀଙ୍କ ପରି ବେଶ୍ ଶ୍ରଦ୍ଧା ଓ ବିଶ୍ବାସରେ ଭରା ଏହି ଆଶ୍ରମର ପରିବେଶ । ପ୍ରତି ଅନୁଗାମୀଙ୍କୁ ଏଠାରେ ମିଳେ ଶାନ୍ତି ଓ ମୈତ୍ରୀର ମନ୍ତ୍ର । ତେଣେ ଅକ୍ଷୟ ତୃତୀୟା ଏଠାକାର ଏକ ପ୍ରସିଦ୍ଧ ପର୍ବ ହୋଇଥିବାରୁ ମଙ୍ଗଳବାର ଏଠାରେ ଜମିଛି ଭକ୍ତଙ୍କ ସମାଗମ । ଏନେଇ ସୋମବାରଠାରୁ ଆରମ୍ଭ ହୋଇଥିଲା ସମସ୍ତ ପ୍ରସ୍ତୁତି ।
ରାମାୟଣର ରଚୟିତା ବାଲ୍ମିକୀ ତପସ୍ୟା କରୁ କରୁ ଉଈ ହୁଙ୍କା ପାଲଟିଥିଲେ । ଠିକ୍ ସେହିପରି ବହୁ ବର୍ଷ ପୂର୍ବେ ଦୟାନିଧି ବାବା ତପସ୍ୟା କରିବା ପରେ ସୃଷ୍ଟି ହୋଇଥିଲା ଉଈ ହୁଙ୍କା । ବାବା ରହୁଥିବା ସ୍ଥାନଟି ରକ୍ଷଣାବେକ୍ଷଣା ଅଭାବରୁ ଭଗ୍ନ ଅବସ୍ଥାରେ ରହିଥିବାବେଳେ ଉଈ ହୁଙ୍କାଟି ଏବେ ବି ଅକ୍ଷତ ଅବସ୍ଥାରେ ରହିଛି । ତେଣୁ ସେବେଠାରୁ ଏହା ବାଲ୍ମିକୀ ଆଶ୍ରମ ଭାବେ ଖ୍ୟାତି ଅର୍ଜନ କରିଆସିଛି ।