କୋରାପୁଟ:ବୟସ ମାତ୍ର ୬ବର୍ଷ । ଶିଖିବାର ଇଚ୍ଛା କିନ୍ତୁ ଅନେକ । ଏଡିକି ଟିକେ ବୟସରେ କଣ୍ଠରୁ ଝରି ପଡୁଛି ଅନର୍ଗଳ ଭାଗବତ ଗୀତା ଶ୍ଳୋକ । ଅନଲାଇନରେ ଶ୍ଳୋକ ଶିକ୍ଷା କରିବା ସହିତ ତାକୁ ଗାଇ ଏକ ନୂଆ ପରିଚୟ ସୃଷ୍ଟି କରିଛନ୍ତି କୋରାପୁଟର ଜିଥ୍ୟା ମୂର୍ତ୍ତୀ ।
ଜିଲ୍ଲାର ବିଶିଷ୍ଟ ଟି.ଏନ. ମୂର୍ତ୍ତିଙ୍କ ନାତୁଣୀ ତଥା ଯୁବ ଆଇନଜୀବୀ ଟି .ଗୋପୀନାଥ ମୂର୍ତ୍ତିଙ୍କ ଝିଅ କୁମାରୀ ଜିଥ୍ୟା । ପିଲାଟି ବେଳୁ ସଙ୍ଗୀତ ପ୍ରତି ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା ଜିଥ୍ୟାଙ୍କର । ପିଲାବେଳେ ସବୁବେଳେ କିଛି ନା କିଛି ଗୁଣୁଗୁଣାଉ ଥାଏ ଜିଥ୍ୟା । କୋରୋନା କାଳରେ ଅନଲାଇନ ମାଧ୍ୟମରେ ବିଭିନ୍ନ ବିଷୟ ପଢ଼ାଇବାର ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା । ବିଶାଖାପାଟଣାରେ ମଧ୍ୟ ଏପରି ଏକ ଅନଲାଇନ କ୍ଳାସ ଯୋଗେ ପିଲାମାନଙ୍କୁ ସଙ୍ଗୀତ ଶିକ୍ଷା ପ୍ରଦାନ କରାଯାଉଥିଲା । ଏହାର ଖବର ପାଇଁ ଜିଥ୍ୟାଙ୍କ ପରିବାର ତାଙ୍କୁ ସେହି ଅନଲାଇନରେ ସଙ୍ଗୀତ ଶିକ୍ଷା କରିବା ପାଇଁ ସୁଯୋଗ ଦେଇଥିଲେ ।