କୋରାପୁଟ:ଓଡ଼ିଶାରେ ବସବାସ କରୁଥିବା ଦୁରୁଆ ଜନଜାତିକୁ ଆଦିବାସୀ ଜନଜାତିର ସରକାରୀ ମାନ୍ୟତା ମିଳିବା ନେଇ ଆଶା ସଞ୍ଚାର ହୋଇଛି । ଶନିବାର ଦିନ କୋରାପୁଟ ସର୍କିଟ ହାଉସ ଠାରେ 5T ସଚିବ ଭି. କେ ପାଣ୍ଡିଆନଙ୍କ ସହ ଭେଟିବା ପରେ କୁନ୍ଦୁରା ବ୍ଲକର ଦୁରୁଆ ଜନଜାତିର ଲୋକମାନେ ଆଦିବାସୀ ମାନ୍ୟତା ପାଇବା ପାଇଁ ପୁଣିଥରେ ଆଶା ପୋଷଣ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଦୁରୁଆର ଆଦିବାସୀ ମାନ୍ୟତା ସଂକ୍ରାନ୍ତରେ ଚାଲିଥିବା ଦାବି ସମ୍ପର୍କରେ ଅବଗତ ଅଛନ୍ତି । ଏହି ବିଷୟଟି କେନ୍ଦ୍ର ସରକାରଙ୍କ ହାତରେ ଥିବା ସତ୍ତ୍ବେ ଆସନ୍ତା ତିନି ମାସ ମଧ୍ୟରେ ଏହାର ସମାଧାନ କରିବା ପାଇଁ ଓଡିଶା ସରକାର ପ୍ରୟାସ କରିବେ ବୋଲି ପାଣ୍ଡିଆନ ପ୍ରତିଶ୍ରୁତି ଦେଇଥିବା ସେମାନେ ଜଣାଇଛନ୍ତି ।
ଶନିବାର ଦିନ ସନ୍ଧ୍ୟାରେ ଭି.କେ ପାଣ୍ଡିଆନ କୋରାପୁଟ ଜିଲ୍ଲାର ବିଭିନ୍ନ ଆଦିବାସୀ ଜନଜାତି ତଥା କୋରାପୁଟ ଜିଲ୍ଲାର ସାମ୍ବାଦିକ ସଂଘ, ବାର ଆସୋସିଏସନ, ମହାବିଦ୍ୟାଳୟ କର୍ତ୍ତୃପକ୍ଷ, ବ୍ୟବସାୟୀ ସଙ୍ଘର କର୍ମକର୍ତ୍ତାଙ୍କ ସହ ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଥିଲେ । ଏହି ଅବସରରେ କୋରାପୁଟ ଜିଲ୍ଲା ସାମ୍ୱାଦିକମାନଙ୍କ ପକ୍ଷରୁ ଦାବିପତ୍ର ଦାଖଲ କରାଯାଇଥିଲା । ସ୍ଵାସ୍ଥ୍ୟବୀମାରେ ବାପା ଓ ମାଆଙ୍କୁ ସାମିଲ କରିବା ସହ ବୀମା ରାଶି ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା, ଟ୍ରେନ ଓ ବସରେ ରିହାତି, ସାମ୍ୱାଦିକ ଅଧିସ୍ବୀକୃତି ପାଇଁ ତୁରନ୍ତ କମିଟି ଗଠନ, ସାମ୍ୱାଦିକ ସୁରକ୍ଷା ଆଇନ ଲାଗୁ କରିବା ଇତ୍ୟାଦି ଦାବି ଗୁଡିକ ପ୍ରତି ସେ ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ଏହାପୂର୍ବରୁ 5T ସଚିବ କୋରାପୁଟ ଜିଲ୍ଲାର ନାରାୟଣପାଟଣା ଗସ୍ତ କରି ବ୍ଲକର ବିଭିନ୍ନ ସ୍କୁଲ ପରିଦର୍ଶନ କରିବା ସହ ପ୍ରସ୍ତାବିତ ଚିନ୍ତାଗୁଡ଼ା ମେଘା ଜଳସେଚନ ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କରିଥିଲେ । ସେ ପ୍ରଥମେ 500 ବର୍ଷର ଇତିହାସ ଥିବା ପ୍ରାଚୀନ ଶ୍ରୀଜଗନ୍ନାଥ ମନ୍ଦିର ପରିଦର୍ଶନ କରିଥିଲେ । ନୂତନ ଭାବେ ନିର୍ମାଣାଧିନ ମନ୍ଦିର ଦେଖି ଏ ଦିଗରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ । ପରେ 185 କୋଟି ଟଙ୍କା ଅଟକଳରେ ନିର୍ମାଣ ହେବାକୁ ଯାଉଥିବା ଚିନ୍ତାଗୁଡ଼ା ଜଳପ୍ରକଳ୍ପ ସ୍ଥାନ ପରିଦର୍ଶନ କରି ପ୍ରକଳ୍ପର ଅଟକଳ ମୂଲ୍ୟ ସହ କେତେ ହେକ୍ଟର ଜମିରେ ପାଣି ମାଡ଼ିବ ଏବଂ କେତେ ସମୟ ମଧ୍ୟରେ ପ୍ରକଳ୍ପ ନିର୍ମାଣ ଶେଷ ହେବ ସେନେଇ ଉପସ୍ଥିତ ଅଧିକାରୀମାନଙ୍କୁ ପଚାରି ବୁଝିବା ସହ ଟେଣ୍ଡର ତ୍ବରାନ୍ନିତ ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ ।