କୋରାପୁଟ: ସରକାରଙ୍କ ବିଚିତ୍ର ନୀତି ଯୋଗୁଁ ଆଜି ଜୟପୁରସ୍ଥିତ ପୂର୍ତ୍ତ ବିଭାଗ ଯନ୍ତ୍ରୀ ପଦବୀରେ କିଏ ବସିବେ ସେ ନେଇ ଦୁଇଜଣ ଅଧିକାରୀଙ୍କ ମଧ୍ୟରେ ଛକାପଞ୍ଝା ଲାଗିରହିଛି ।
ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗତ ମାର୍ଚ୍ଚ ମାସରେ ଏହି ପଦବୀରେ ପରୀକ୍ଷିତ ଦାସ ଯୋଗ ଦେଇଥିଲେ । ହେଲେ ଜୁଲାଇ ମାସ ୨ ତାରିଖରେ ମାଲକାନଗିରି ପୂର୍ତ୍ତ ବିଭାଗରେ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଅରୁଣ କୁମାର ସାହୁଙ୍କୁ ଏହି ପଦବୀକୁ ପଦୋନ୍ନତି କରାଯାଇଥିଲା । ଜୁଲାଇ ମାସ ୨୪ ତାରିଖରେ ପରୀକ୍ଷିତ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିବା ସମୟରେ ଅରୁଣ ଆସି ଯନ୍ତ୍ରୀଙ୍କ ଚୌକିକୁ ଅକ୍ତିଆର କରିଥିଲେ । ପରକ୍ଷିତ ଦାସ ଅଫିସକୁ ଫେରିବା ପରେ ତାଙ୍କ ଚୌକି ଖାଲି ନଥିବା ଦେଖି ସାହୁ ମାଲକାନଗିରିରୁ ରିଲିଭ ନ ହୋଇ ଏଠାରେ ଯୋଗ ଦେବା ଠିକ ନୁହେଁ ବୋଲି ଅଭିଯୋଗ କରିବା ସହ ଟ୍ରିବ୍ୟୁନାଲକୁ ଯାଇଥିଲେ ।