କୋରାପୁଟ: ବିଦ୍ୟାଳୟର ଖେଳ ପଡ଼ିଆରେ ଲାଗୁଛି ଅତ୍ୟାଧୁନିକ ଘାସ ଗାଲିଚା । ଲାବ୍ରୋଟୋରୀରେ ଭରି ରହିଛି ବିଜ୍ଞାନ ଉପକରଣ । ପାଠାଗାରରେ ଛାତ୍ରଛାତ୍ରୀଙ୍କ ବସିବା ପାଇଁ ପଡ଼ିଛି ଚକାଚକ ଚୌକି ଓ ଟେବୁଲ । ଶ୍ରେଣୀଗୁହରେ ଶିକ୍ଷାଦାନ ପାଇଁ ଲାଗିଛି ସ୍ମାର୍ଟବୋର୍ଡ । କୌଣସି ବେସରକାରୀ ବିଦ୍ୟାଳୟରେ ନୁହେଁ ବରଂ କୋରାପୁଟ ଜିଲ୍ଲାର 17ଟି ସରକାରୀ ଉଚ୍ଚ ବିଦ୍ୟାଳୟରେ ଏସମସ୍ତ ସୁବିଧା ଦେଖିବାକୁ ମିଳିଛି ।
ରାଜ୍ୟ ସରକାରଙ୍କ 5T ବିଦ୍ୟାଳୟ ରୂପାନ୍ତର କାର୍ଯ୍ୟକ୍ରମରେ ଜିଲ୍ଲାର 17ଟି ସ୍ଥାନରେ ସରକାରୀ ବିଦ୍ୟାଳୟର ରୂପାନ୍ତରଣ ହୋଇଛି । ଦ୍ଵିତୀୟ ପର୍ଯ୍ୟାୟରେ ଆଉ 100ଟି ସରକାରୀ ବିଦ୍ୟାଳୟକୁ ରୂପାନ୍ତରିତ କରିବା ପାଇଁ ଯୋଜନା ରହିଛି । ଏହାକୁ ନେଇ ଜିଲ୍ଲାପାଳ ଅବଦଲ ଅକ୍ତର ସୂଚନା ଦେଇଛନ୍ତି । ଚଳିତ ମାସ 24 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିଦ୍ୟାଳୟଗୁଡିକୁ ଲୋକାର୍ପିତ କରିବେ ।