ନିଆଳି:ଆଉ ମାସ କେଇଟା ପରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ କର୍ମୀ, ନେତା,ଲୋକ ପ୍ରତିନିଧି ଏବଂ ସାଧାରଣ ଲୋକଙ୍କୁ ଏକାଠି କରି ଦଳକୁ ଆହୁରି ମଜବୁତ କରିବା ପାଇଁ ପ୍ରୟାସ ଜାରି ରଖିଛି ବିଜୁ ଜନତା ଦଳ । କିନ୍ତୁ ଜୟଦେବ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆୟୋଜିତ ଜୋନ ସ୍ତରୀୟ ବିଜେଡି ବୈଠକରେ ନଜର ଆସିଲେ ନାହିଁ ବିଧାୟକ ଅରବିନ୍ଦ ଢ଼ାଲି । ବିଧାୟକଙ୍କୁ ପିସି ବିଧାୟକ କହିଲେ ଜିଲ୍ଲାପରିଷଦ ସଭ୍ୟ ପବିତ୍ର ମୋହନ ପଟେଲ । ବିଧାନସଭା ନିର୍ବାଚନକୁ ଆଉ ମାତ୍ର କେଇଟା ମାସ ଥିବା ବେଳେ ଏବେ ଠାରୁ ବିଧାୟକଙ୍କ ବିରୋଧରେ ସ୍ବର ତେଜିବାରେ ଲାଗିଛି ।
ଶୁକ୍ରବାର ଖୋର୍ଦ୍ଧା ଜିଲ୍ଲା ଜୟଦେବ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବନମାଳୀପୁର ସ୍ଥିତ ଏକ ମଣ୍ତପରେ ଜୋନ ସ୍ତରୀୟ ବିଜେଡି ବୈଠକ ଓ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେଡି ପର୍ଯ୍ୟବେକ୍ଷକ ବରଦା ପ୍ରସନ୍ନ ପଟ୍ଟନାୟକ, ଜୟଦେବ ବିଜେଡି ସାଙ୍ଗଠନିକ ନେତା ତଥା ଆମ ସଙ୍ଗଠନ ସଭାପତି କମଳ କୁମାର ପାତ୍ର, ବାଲିପାଟଣା ଓ ବାଲିଅନ୍ତା ବ୍ଲକର ଦୁଇ ଅଧ୍ୟକ୍ଷ, ୬ ଜଣ ଜିଲ୍ଲାପରିଷଦ ସଭ୍ୟ, ବିଭିନ୍ନ ପଞ୍ଚାୟତର ସରପଞ୍ଚ ଏବଂ ମହିଳା କର୍ମୀ ଯୋଗ ଦେଇଥିଲେ । କିନ୍ତୁ ଏହି ବୈଠକରେ ଜୟଦେବ ବିଧାୟକ ଅରବିନ୍ଦ ଢ଼ାଲିଙ୍କୁ ଦେଖିବାକୁ ମିଳିନଥିଲା ।
ସାମ୍ବାଦିକଙ୍କ ପ୍ରଶ୍ନରେ ପର୍ଯ୍ୟବେକ୍ଷକ ବରଦା ପ୍ରସନ୍ନ ପଟ୍ଟନାୟକ କହିଥିଲେ ଯେ, ଏ ହେଉଛି କର୍ମୀ ଵୈଠକ ବିଧାୟକ ସହିତ ଯୋଗାଯୋଗରେ ଅଛୁ କହି ବିବାଦ ଠାରୁ ନିଜକୁ ଦୂରେଇ ରଖିଥିଲେ । କିନ୍ତୁ ୨୧ ନମ୍ବର ଜୋନର ବିଜେଡି ଜିଲ୍ଲାପରିଷଦ ସଭ୍ୟ ପବିତ୍ର ମୋହନ ପଟେଲ ସିଧା ଜୟଦେବ ବିଧାୟକ ଅରବିନ୍ଦ ଢ଼ାଲିଙ୍କୁ ପିସି ବିଧାୟକ ବୋଲି କହିଥିଲେ ।
ଏହା ମଧ୍ୟ ପଢନ୍ତୁ-ବିଜେଡିର ନିର୍ବାଚନୀ ତୟାରୀ; ନବୀନଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ଲାଗି ଶପଥ