ଭୁବନେଶ୍ବର:ରାଜଧାନୀରେ ଅନୁଷ୍ଠିତ ହୋଇଯାଇଛି ଯୁବ ରେଡକ୍ରସର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରେଡକ୍ରସକୁ ସରକାରୀ ସହାୟତା ରାଶି 50 ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି । ଏଥିସହ ରେଡକ୍ରସ୍ ସଦସ୍ୟମାନଙ୍କ ଯାତାୟତ ଖର୍ଚ୍ଚ 3 ଲକ୍ଷ 60 ହଜାର ଟଙ୍କା ଓ ସମୁଦାୟ ରେଡକ୍ରସ୍ ପୁରସ୍କାର ସଂଖ୍ୟା ୩୩କୁ ବୃଦ୍ଧି କରାଯିବା ନେଇ ମଧ୍ୟ ନିଷ୍ପତ୍ତି ହୋଇଛି ।
ଏହା ମଧ୍ୟ ପଢନ୍ତୁ-୩୩୪ ମହାବିଦ୍ୟାଳୟରେ ନାହିଁ ଯୁବ ରେଡକ୍ରସ ୟୁନିଟ, କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ
ରେଡକ୍ରସ ଦ୍ବାରା ଆୟୋଜିତହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଯେପରିକି ବୃକ୍ଷରୋପଣ, ସଡ଼କ ସୁରକ୍ଷା ସଚେତନତା, ଏଚ୍ଆଇଭି (ଏଡ୍ସ) ସଚେତନତା, ରକ୍ତଦାନ, ଲିଙ୍ଗଗତ ସମାନତା, ମହିଳା ସଶକ୍ତିକରଣକୁ ଆହୁରି ଜୋରସୋରରେ ଆଗେଇ ନେବାକୁ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପରାମର୍ଶ ଦେଇଥିଲେ। ବିଶେଷ ଭାବରେ ମାଲକାନଗିରି, କୋରାପୁଟ, ରାୟଗଡ଼ା ଆଦି ଅଣଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ରକ୍ତଦାନ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ସହ ଅନ୍ୟ କାର୍ଯ୍ୟକ୍ରମ ଗୁଡ଼ିକୁ ତ୍ୱରାନ୍ୱିତ କରିବାକୁ ବୈଠକରେ କୁହାଯାଇଛି। ଏହି ଅବସରରେ ବାହାନଗା ରେଳ ଦୁର୍ଘଟଣା ସମୟରେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିବା ୪୦୦ରୁ ଉର୍ଦ୍ଧ୍ବ ରେଡକ୍ରସ୍ ସ୍ଵେଚ୍ଛାସେବୀ ମାନଙ୍କୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ପ୍ରଶଂସା କରିଥିଲେ ।