ଓଡିଶା

odisha

ସଦର ନିର୍ବାଚନ ମଣ୍ଡଳୀ ବିକାଶ ନେଇ ଯୁବନେତାଙ୍କ ପ୍ରଶ୍ନ, ହିସାବ ଦେଲେ ବିଧାୟକ

By

Published : Aug 1, 2023, 10:37 PM IST

ବାଲେଶ୍ଵର ସଦର ନିର୍ବାଚନ ମଣ୍ଡଳୀରେ ବିକାଶ ନେଇ ମୁହାଁମୁହିଁ ଯୁବନେତା ଓ ବିଧାୟକ । ବିକାଶର ନାରା ଦେଇ ଉପନିର୍ବାଚନରେ ଜିତିଥିବା ବିଧାୟକ ବିକାଶର ନାଁ ଧରୁନାହାନ୍ତି ବୋଲି ଯୁବନେତା ବିକ୍ରମ ପଣ୍ଡା କହିଥିବା ବେଳେ ବିକାଶର ହିସାବ ଦେଇଛନ୍ତି ବାଲେଶ୍ଵର ବିଧାୟକ ସ୍ବରୂପ ଦାସ । ଅଧିକ ପଢ଼ନ୍ତୁ

ସଦର ନିର୍ବାଚନ ମଣ୍ଡଳୀ ବିକାଶ ନେଇ ଯୁବନେତାଙ୍କ ପ୍ରଶ୍ନ
ସଦର ନିର୍ବାଚନ ମଣ୍ଡଳୀ ବିକାଶ ନେଇ ଯୁବନେତାଙ୍କ ପ୍ରଶ୍ନ

ସଦର ନିର୍ବାଚନ ମଣ୍ଡଳୀ ବିକାଶ ନେଇ ଯୁବନେତାଙ୍କ ପ୍ରଶ୍ନ

ବାଲେଶ୍ଵର: ସଦର ନିର୍ବାଚନ ମଣ୍ଡଳୀରେ ବିକାଶର ନାରା ଦେଇ ଉପନିର୍ବାଚନରେ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବିଧାୟକ ଏବେ ବିକାଶର ନାଁ ଧରୁନାହାନ୍ତି । ଏମିତିକି ଅନେକ ପଞ୍ଚାୟତ ରହିଛି ଯେଉଁଠି ବିଧାୟକଙ୍କ ପାଦ ବି ପଡ଼ିନାହିଁ ବୋଲି ଅଭିଯୋଗ ଆଣିଛନ୍ତି ଯୁବନେତା ବିକ୍ରମ ପଣ୍ଡା । ଅନ୍ୟପଟେ ସଦର ନିର୍ବାଚନ ମଣ୍ଡଳୀର ବ୍ୟାପକ ବିକାଶ ହୋଇଛି ବୋଲି ବିଧାୟକ ଜବାବ ରଖିଛନ୍ତି ।

ଯୁବନେତା ବିକ୍ରମ ପଣ୍ଡା କହିଛନ୍ତି, "ବିକାଶର ସ୍ଲୋଗାନ ଦେଇ ବିଧାୟକ ନିର୍ବାଚିତ ହୋଇଥିବାବେଳେ ନିର୍ବାଚନ ମଣ୍ଡଳୀର ବିକାଶ ପରିବର୍ତ୍ତେ ମୌଳିକ ଦାବି ହାସଲ ପାଇଁ ଲୋକମାନେ ବାରଦ୍ବାର ଶୁଣ୍ଢିପିଣ୍ଡା ହେଉଛନ୍ତି । ସଦର ନିର୍ବାଚନ ମଣ୍ଡଳୀରେ ୨୬ଟି ପଞ୍ଚାୟତ ଥିବାବେଳେ ଲୋକଙ୍କ ସୁଗମ ଯାତାୟତ ପାଇଁ ଠିକ ରାସ୍ତା ନାହିଁ । ଯାହାକୁ ବିଧାୟକ ଜାଣିଶୁଣି ଧ୍ୟାନ ଦେଉନାହାନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦଳୀୟଭିତ୍ତିରେ ଚୟନ କରାଯାଉଥିବା ବେଳେ ପ୍ରକୃତ ହିତାଧିକାରୀଙ୍କୁ ଘର ମିଳୁନାହିଁ । ପ୍ରକୃତ ହିତାଧିକାରୀମାନଙ୍କ ନାମ ତାଲିକାରୁ ବାଦ୍ ଦିଆଯାଇ ଥିଲାବାଲା ଲୋକଙ୍କୁ ଘର ବଣ୍ଟନ କରାଯାଉଛି ।" ଏଥିପାଇଁ ବିଧାୟକଙ୍କୁ ଟାର୍ଗେଟ କରି ଲୋକଙ୍କ ସମସ୍ୟା ସମାଧାନ କରିବା ପାଇଁ ଦାବି ଜଣାଇଛନ୍ତି ବିକ୍ରମ । ସମସ୍ତ ରାସ୍ତାକୁ ତୁରନ୍ତ ନିର୍ମାଣ କରିବା ସହ ବାସ୍ତବ ହିତାଧିକାରୀଙ୍କୁ ଚୟନ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବାକୁ ବିକ୍ରମ ଦାବି କରିଛନ୍ତି । ଦାବି ପୂରଣ ନହେଲେ ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଦିନିକିଆ ଅନଶନ କରଯିବା ନେଇ ଚେତାବନୀ ଦେଇଛନ୍ତି ଯୁବନେତା ବିକ୍ରମ ପଣ୍ଡା ।

ଅନ୍ୟପଟେ ବାଲେଶ୍ଵର ବିଧାୟକ ସ୍ବରୂପ ଦାସ ନିଜ ନିର୍ବାଚନ ମଣ୍ଡଳୀର ବିକାଶର ଚିଠା ଖୋଲିଛନ୍ତି । ଯାହାସବୁ ବିରୋଧୀମାନେ ଅଭିଯୋଗ ଆଣୁଛନ୍ତି, ସେଥିରେ କୌଣସି ସତ୍ୟତା ନାହିଁ ବରଂ ସେମାନେ ବିକାଶର ଧାରା ବିଷୟରେ ନଜାଣି ଅଯଥାରେ ଆକ୍ରୋଶମୂଳକ ଭାବେ ଆଙ୍ଗୁଠି ଉଠାଇବା ଉଚିତ ନୁହଁ ବୋଲି କହିଛନ୍ତି ବିଧାୟକ । ସେ କହିଛନ୍ତି, "ସଦର ନିର୍ବାଚନ ମଣ୍ଡଳୀର ପଞ୍ଚାୟତସ୍ତରରେ ୧୧୦୦ କୋଟି ଟଙ୍କାର ପ୍ରକଳ୍ପ ଚାଲୁ ରହିଛି । ସେଥିରୁ କିଛି ପ୍ରକଳ୍ପ ସରିଥିବା ବେଳେ ଆଉକିଛି କାର୍ଯ୍ୟ ଚାଲୁ ରହିଛି । ସେଥିମଧ୍ୟରେ ୩୩୦ କୋଟି ଟଙ୍କାର ବନ୍ୟା ବାତ୍ୟା ପ୍ରତିରୋଧକ ଲୁଣି ବନ୍ଧ ପ୍ରକଳ୍ପ ଚାଲିଛି । ୨୬ଟି ପଞ୍ଚାୟତର ପାନୀୟ ଜଳ ପ୍ରକଳ୍ପ ବାବଦକୁ ୨୫୦ କୋଟିରୁ ଊର୍ଦ୍ଧ୍ଵ ଟଙ୍କାରେ ଚାଲୁ ରହିଛି । ଏହା ସହିତ ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ୧୬୭ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଏହାସହ ଗ୍ରାମାଞ୍ଚଳର ବିଭିନ୍ନ ରାସ୍ତା କାର୍ଯ୍ୟ ପାଇଁ ୬୦ କୋଟି ଟଙ୍କାରୁ ଊର୍ଦ୍ଧ୍ଵ ଟଙ୍କା ବ୍ୟୟ ବରାଦ ହୋଇଛି । PWD ଏବଂ RD ଦ୍ବାରା ୪ଟି ପୋଲ ନିର୍ମାଣ ପାଇଁ ୫୫ କୋଟିରୁ ଊର୍ଦ୍ଧ୍ଵ ଟଙ୍କାର କାମ ଚାଲିଛି । ସେଥିମଧ୍ୟରୁ ରଙ୍ଗାମାଟିଆ ବ୍ରିଜ କାମ ସରିଛି ଯାହାର ମୂଲ୍ୟ ୪ କୋଟି ଟଙ୍କା ।"

ଏହା ମଧ୍ୟ ପଢ଼ନ୍ତୁ...ବାଲେଶ୍ଵରେ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା, ଦୁର୍ବଳ ନଦୀବନ୍ଧ ଉପରେ ଗୁରୁତ୍ୱ

ସଦର ନିର୍ବାଚନ ମଣ୍ଡଳୀରେ ଚାଲୁ ରହିଥିବା ବିକାଶମୂଳକ କାର୍ଯ୍ୟର ହିସାବ ଦେଇ ବିଧାୟକ ଆହୁରି କହିଛନ୍ତି, "୧୦ କୋଟିରୁ ଊର୍ଦ୍ଧ୍ଵ ଟଙ୍କାର ସ୍ମାର୍ଟ ପାର୍କ ନିର୍ମାଣ ଚାଲିଛି । ନୁଣିଆ ଯୋଡି ପୋଲ ପାଇଁ ୬୦ କୋଟି, ଫୁଲାଡି ରାସ୍ତାର ଉନ୍ନତିକରଣ ପାଇଁ ୩୩ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ବ୍ଲକ ଦ୍ବାରା ମାର୍କେଟ କମ୍ପ୍ଲେକ୍ସ, ପୋଖରୀ ଘାଟ, ପୋଖରୀ ଖୋଳା, ଅଙ୍ଗନବାଡ଼ି ସେଣ୍ଟର ନିର୍ମାଣ ଆଦି ପାଇଁ ୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏମିତିକି ସଦର ନିର୍ବାଚନ ମଣ୍ଡଳୀର ଥିବା ୪୩ ସ୍କୁଲକୁ 5T ଜରିଆରେ ରୂପାନ୍ତର ହେଉଛି । ଏଥିପାଇଁ ୩୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଲୋକମାନେ ବିଦ୍ୟୁତ ସମସ୍ୟା ଭୋଗୁଥିବା ବେଳେ ସେମାନଙ୍କ ସୁବିଧା ପାଇଁ ୨ଟି ଷ୍ଟ୍ରକଚର ଚାର୍ଜ ହୋଇଛି । ଏଥିପାଇଁ ୧୫ଟି ପଞ୍ଚାୟତର ଲୋକେ ଉପକୃତ ହୋଇଛନ୍ତି । ମତ୍ସ୍ୟ ଏବଂ କୃଷିଭିତ୍ତିକ କାର୍ଯ୍ୟକ୍ରମରେ ଲୋକଙ୍କୁ ସବ୍‌ସିଡି ବାବଦକୁ ମଧ୍ୟ ଧ୍ୟାନ ଦିଆଯାଇଛି ।" ଏହାସହ ୧୬୦ କୋଟି ଟଙ୍କାର ସୃଜଳ ଯୋଜନାରେ କାମ ଚାଲିଛି, ଯାହାର ୩୨ କୋଟି ଟଙ୍କାର ଟେଣ୍ଡର ସରିଛି ବୋଲି ବିଧାୟକ କହିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details