ଭୁବନେଶ୍ବର:ପୁଣି ରକ୍ତରଞ୍ଜିତ ହେଲା ରାଜଧାନୀ ରାଜରାସ୍ତା । ବିଚ୍ ରାସ୍ତାରେ ରକ୍ତର ହୋଲି ଖେଳିଲେ ଦୁର୍ବୃତ୍ତ । ରାସ୍ତା ଉପରେ ଯୁବକଙ୍କୁ ନିର୍ମମ ଭାବେ ହାଣିଲେ । ଆଜି ସକାଳୁ ଭୁବନେଶ୍ବର କ୍ୟାପିଟାଲ ଥାନା ଅନ୍ତର୍ଗତ ୟୁନିଟ-୧ ହାଇସ୍କୁଲ ପାଖରୁ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଛି । ଦୁର୍ବୃତ୍ତମାନେ ତାଙ୍କୁ ଗୋଡାଇ ଗୋଡାଇ ମାରଣାସ୍ତ୍ରରେ ହାଣି ହତ୍ୟା କରିଛନ୍ତି । ମୃତକ ସ୍ଥାନୀୟ ବସ୍ତିର ସୁଶାନ୍ତ ନାୟକ । ମାସକ ତଳର ନାବାଳିକା ଅସଦାଚରଣ ଘଟଣାକୁ କେନ୍ଦ୍ରକରି ଏଭଳି ନିର୍ମମ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ହତ୍ୟା କରିଥିବା ଅଭିଯୁକ୍ତ ମାମୁଁ ଓ ଭଣଜା । ପୂର୍ବ ରାଗ ସୁଝାଇବାକୁ ମାମୁଁ-ଭଣଜା ମିଶି ଯୁବକଙ୍କୁ ମୁଣ୍ଡକୁ ଆକ୍ରମଣ କରି ହତ୍ୟା କରିଛନ୍ତି ।
ଯାହା ସୂଚନା ମିଳିଛି, ବିଶାଲ ନାୟକ ନାମକ ଅଭିଯୁକ୍ତ ମାସକ ତଳେ ମୃତ ସୁଶାନ୍ତଙ୍କର ନାବାଳିକା ଝିଆରୀକୁ ଅସଦାଚରଣ କରିଥିଲେ । ଏନେଇ ବିଶାଲ ବିରୁଦ୍ଧରେ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଥିଲା । ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା । ଏହି ମାସକ ତଳେ ଅସଦାଚରଣ ଘଟଣାର ରାଗ ରଖି ଅଭିଯୋଗକାରୀ ପରିବାରର ସଦସ୍ୟଙ୍କୁ ହତ୍ୟା କରାଯାଇଛି । ବିଶାଲ ନାୟକ ତା'ର ମାମୁଁ ସୁଜିତ ନାୟକ ଓ ସହଯୋଗୀ ମିଶି ସମ୍ପୃକ୍ତ ନାବାଳିକାଙ୍କ ଦାଦା ସୁଶାନ୍ତଙ୍କୁ ହତ୍ୟା କରିଛନ୍ତି । ସୁଶାନ୍ତ ଆଜି ସକାଳୁ ନିଜ ସ୍ତ୍ରୀକୁ ହସ୍ପିଟାଲ ନେଇ ଫେରିବା ପରେ ଜିଇଡି ବସ୍ତି ନିକଟରେ ତାଙ୍କୁ ହତ୍ୟା କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିବା ସହ ମୃତଦେହ ଉଦ୍ଧାର କରିଛି ।