ରୋଜଗାର ଦିଅ ନ୍ୟାୟ ଦିଅ ଆହ୍ୱାନ ଦେଲା ଯୁବ କଂଗ୍ରେସ ଭୁବନେଶ୍ୱର:ରୋଜଗାର ଦିଅ, ନ୍ୟାୟ ଦିଅ ଆହ୍ୱାନ ଦେଲା ଯୁବ କଂଗ୍ରେସ । ଗତକାଲି (ଗୁରୁବାର) ଭୁବନେଶ୍ୱରସ୍ଥିତ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ନବନିଯୁକ୍ତ ଏବଂ ନବନିର୍ବାଚିତ ପ୍ରଦେଶ ଯୁବ କଂଗ୍ରେସ କର୍ମକର୍ତ୍ତା ଓ ଜିଲ୍ଲା ସଭାପତିମାନଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଂଜିତ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଭାରତୀୟ ଯୁବ କଂଗ୍ରେସର ସାଧାରଣ ସଂପାଦକ ତଥା ଓଡ଼ିଶା ପ୍ରଭାରୀ ମିଳିନ୍ଦ ଗୌତମ ମୁଖ୍ୟ ଅତିଥିଭାବେ ଯୋଗଦେଇ “ରୋଜଗାର ଦିଅ, ନ୍ୟାୟ ଦିଅ” କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ପ୍ରତି ଜିଲ୍ଲାରେ ଆୟୋଜିତ ହେବାପାଇଁ ସେ ଘୋଷଣା କରିଛନ୍ତି ।
ଏହି ଅବସରରେ ଯୁବ ପ୍ରଭାରୀ ମିଳିନ୍ଦ ଗୌତମ କହିଛନ୍ତି, "ମୋଦୀ ଓ ନବୀନ ଶାସନରେ ବେକାର ଯୁବକ ଯୁବତୀ ମାନେ ନୈରାଶ୍ୟରେ ରହିଛନ୍ତି । ମୋଦୀ ବର୍ଷକୁ ୨ କୋଟି ନିଯୁକ୍ତି ପ୍ରତିଶ୍ରୁତି ଏବଂ ନବୀନଙ୍କ ବର୍ଷକୁ ୨ ଲକ୍ଷ ନିଯୁକ୍ତି ପ୍ରତିଶ୍ରୁତି କେବଳ ଏ ଦେଶ ଓ ରାଜ୍ୟର ଯୁବକଯୁବତୀଙ୍କୁ ଭୁଆଁ ବୁଲାଇବା ପାଇଁ ଉଦ୍ଦିଷ୍ଟ ଥିଲା । ବାସ୍ତବ କ୍ଷେତ୍ରରେ ଏହି ଦୁଇ ସରକାର ଯୁବକଯୁବତୀମାନଙ୍କୁ ପ୍ରତାରିତ କରିଛନ୍ତି । ମୋଦୀ ସରକାରରେ ୧୦ଲକ୍ଷ ପଦବୀ ଖାଲି ପଡ଼ିଥିବା ବେଳେ ନବୀନ ସରକାରରେ ୨ଲକ୍ଷ ୨୬ ହଜାର ପଦବୀ ଖାଲି ପଡ଼ିଛି । ଓଡ଼ିଶାରେ ଉତ୍କଟ ବେକାରୀ ସମସ୍ୟା ଦେଖାଦେଇଛି ।"
ଏହାମଧ୍ୟ ପଢନ୍ତୁ.. ଛାତ୍ର କଂଗ୍ରେସର ବିକ୍ଷୋଭ: ମୋଦି ଓ ନବୀନଙ୍କ ପୋଷ୍ଟର ଚିରିଲେ, ମହାପୁରୁଷଙ୍କ ଫଟୋ ଲଗାଇଲେ
ସେ ଆଉ ମଧ୍ୟ କହିଛନ୍ତି,"ପ୍ରଦେଶ ଯୁବ କଂଗ୍ରେସର ଆନ୍ଦୋଳନ ଏ ରାଜ୍ୟର ବେକାର ଯୁବକଯୁବତୀ ମାନଙ୍କର ଅସନ୍ତୋଷର ସ୍ୱର ହେବ । ପ୍ରଚଳିତ ଶାସନ ବ୍ୟବସ୍ଥାର ପରିବର୍ତ୍ତନ ପାଇଁ ଯୁବ କଂଗ୍ରେସର ଆନ୍ଦୋଳନରେ ସାମିଲ ହେବାପାଇଁ ଯୁବ ସମାଜକୁ ଆହ୍ୱାନ କରାଯାଇଛି ।" ଏଥିସହ ଓଡ଼ିଶା ଦେଇ ଯାଉଥିବା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ସାମିଲ ହୋଇ ନିଜର ଅଧିକାର ପାଇଁ ଲଢ଼େଇ କରିବାକୁ ମିଳିନ୍ଦ ଗୌତମ ଓଡ଼ିଶାର ଯୁବ ସମାଜକୁ ଅନୁରୋଧ କରିଛନ୍ତି ।
ଅନ୍ୟପଟେ ଅଖିଳ ଭାରତ ଯୁବ କଂଗ୍ରେସର ସମ୍ପାଦକ ତଥା ଓଡ଼ିଶା ସହ ପ୍ରଭାରୀ ଅଭିନବ ଭଗତ “ୟଙ୍ଗ ଇଣ୍ଡିଆ କେ ବୋଲ” କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ମଧ୍ୟ ବିଧାନସଭା ସ୍ତରରେ ଆୟୋଜିତ ହେବ । ପ୍ରତିଭାଶାଳୀ ଯୁବକମାନଙ୍କୁ ସଂଗଠନରେ ଅଗ୍ରାଧିକାର ଦେବାପାଇଁ ଏହି କାର୍ଯ୍ୟକ୍ରମ କରାଯିବ । ଯେଉଁ ଯୁବକମାନେ କଂଗ୍ରେସର ନୀତି ଓ ଆଦର୍ଶରେ ଅନୁପ୍ରାଣୀତ ହୋଇ କଂଗ୍ରେସ ଦଳର ଏବଂ ବିଶେଷ କରି ଉପେକ୍ଷିତ ଜନତାର ସ୍ୱର ଭାବେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟକରିବେ ସେହିମାନଙ୍କୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଚୟନ କରାଯିବ ବୋଲି କହିଛନ୍ତି ଅଭିନବ ଭଗତ ।
ଜିଲ୍ଲା ଏବଂ ନିର୍ବାଚନ ମଣ୍ଡଳୀ ସ୍ତରରେ ବେକାରୀ ସମସ୍ୟାକୁ ନେଇ ଆନ୍ଦୋଳନ କରିବାପାଇଁ କାର୍ଯ୍ୟକାରିଣୀରେ ପ୍ରସ୍ତାବ ପାରିତ ହୋଇଥିଲା । ନବୀନ ଓ ମୋଦୀ ସରକାରର ଦୁର୍ନୀତି ଓ ଭ୍ରଷ୍ଟାଚାର, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଦରଦାମ ବୃଦ୍ଧି, ଆଦିବାସୀ, ଦଳିତ ଓ ପଛୁଆବର୍ଗ ପ୍ରତି ସରକାରୀ ଉଦାସୀନତା ପ୍ରତିବାଦରେ ଯୁବ କଂଗ୍ରେସର ଲଢ଼େଇ ବୁଥ ସ୍ତରରୁ ଆରମ୍ଭ ହେବ ବୋଲି କହିଛନ୍ତି ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ର ।
ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ କହିଥିଲେ ଯେ, ଯୁବ କଂଗ୍ରେସ, କଂଗ୍ରେସ ଦଳର ମେରୁଦଣ୍ଡ । କିଛି ନିଷ୍ଠାବାନ ଯୁବକର୍ମୀ ଆଗ୍ରହ ଓ ଉତ୍ସାହର ସହ କାର୍ଯ୍ୟକଲେ ପ୍ରଚଳିତ ବ୍ୟବସ୍ଥାର ପରିବର୍ତ୍ତନ ହୋଇପାରିବ । ଯୁବକମାନେ ନବୀନ ଓ ମୋଦି ସରକାରର ଅହଂକାର ଓ ଜନବିରୋଧି କାର୍ଯ୍ୟକ୍ରମକୁ ଅବିରତ ତୃଣମୂଳସ୍ତରରୁ ପ୍ରତିବାଦ କରିବାକୁ ନିରଞ୍ଜନ ପଟ୍ଟନାୟକ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକ ସୁରେଶ କୁମାର ରାଉତରାୟ, ପିସିସି ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ, ନବଜ୍ୟୋତି ପଟ୍ଟନାୟକ, ପିସିସି ସଂପାଦକ ସଂଗ୍ରାମ ଦାସ, ଅଭିଳାଷ ମାଣିଆ ପ୍ରମୁଖ ଯୋଗଦେଇଥିଲେ ।
ଇଟିଭି ଭାରତ, ଭୁବନେଶ୍ୱର