ଭୁବନେଶ୍ବର:ଓୟୋ ରୁମରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ବନ୍ଧୁମାନଙ୍କ ସହ ଜନ୍ମଦିନ ପାଳନ କରିବାକୁ ଯାଇଥିବାବେଳେ ହୋଟେଲରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଭୁବନେଶ୍ବର ଖଣ୍ଡଗିରି ଥାନା ଜାଗମରା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ହୋଟେଲରେ ଉପସ୍ଥିତ ବନ୍ଧୁମାନେ ଏହାକୁ ଆତ୍ମହତ୍ୟା କହୁଥିବାବେଳେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ଏମ୍ସକୁ ପଠାଇଛି ।
ସୂଚନା ଅନୁଯାୟୀ, ମୃତ ଯୁବକ ହେଉଛନ୍ତି ନିଆଳି ଅଞ୍ଚଳର ଦୁର୍ଗା ପ୍ରସାଦ ମିଶ୍ର । ପ୍ରେମିକାଙ୍କ ଜନ୍ମଦିନ ପାଳନ ପାଇଁ ଖଣ୍ଡଗିରି ଥାନା ଜାଗମରା ଅଞ୍ଚଳରେ ଥିବା ଏକ ଓୟୋ ହୋଟେଲର ଦୁଇଟି ରୁମ ବୁକ ହୋଇଥିଲା । ଏଥିରେ ଦୁର୍ଗାଙ୍କ ପ୍ରେମିକା ଓ ଦୁଇ ଜଣ ବନ୍ଧୁ ମଧ୍ୟ ଯୋଗ ଦେଇଥିଲେ । ଏହାପରେ ଚାରିଜଣ ଜନ୍ମଦିନ ସେଲିବ୍ରେସନ କରିଥିଲେ । କେକ କଟା ସରିବା ପରେ ସେମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା ।
ଦୁର୍ଗା ପ୍ରସାଦ ରାଗିଯାଇ କିଛି ସମୟ ବାହାରକୁ ଚାଲିଆସିଥିଲେ । ପରେ ସେ ହୋଟେଲର କାଚ ଭାଙ୍ଗି ଭିତରକୁ ପସିଥିଲେ । ଯାହାକୁ ନେଇ ପ୍ରେମିକାଙ୍କ ସହ ତାଙ୍କର କଥା କଟାକଟି ହୋଇଥିଲା । ପ୍ରେମିକାଙ୍କ କହିବା ଅନୁଯାୟୀ, ସେ ୱାଶରୁମ ଯିବା ସମୟରେ ଦୁର୍ଗା ତାଙ୍କ ଓଢ଼ଣୀରେ ଝୁଲି ପଡ଼ିଥିଲେ । ସେ ୱାଶରୁମରୁ ଆସିବା ପରେ ଝୁଲନ୍ତା ଅବସ୍ଥାରେ ଥିଲେ ଦୁର୍ଗା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ହୋଟେଲ ରୁମକୁ ସିଲ କରିଛି ଏବଂ ହୋଟେଲର ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି । ମୃତଦେହ ବ୍ୟବଚ୍ଛେଦ ପାଇଁ ଏମ୍ସ ମେଡ଼ିକାଲକୁ ପଠାଯାଇଛି ।