ଭୁବନେଶ୍ବର:ରାଜଧାନୀର ହାଇସିକ୍ୟୁରିଟି ଜୋନରେ ଠାବ ହୋଇଛି ମୃତଦେହ । ଭିଭିଆଇପି ସରକାରୀ କ୍ବାଟର ଓ କଂଗ୍ରେସ ଭବନ ମଝି ରାସ୍ତାର କଡ଼ରେ ଥିବା ଡ୍ରେନ ଉପରେ ଦେଖିବାକୁ ମିଳିଛି ମୃତଦେହ । ଏନେଇ ଦିନ ପ୍ରାୟ ୧୧ଟା ୫୦ ମିନିଟ ସମୟରେ ଖବର ପାଇ ପୋଲିସ ସେଠାରେ ପହଞ୍ଚି ଛାନଭିନ ଚଳାଇଛି । ମୃତଦେହରେ କୌଣସି କ୍ଷତାକ୍ତ ଚିହ୍ନ ନଥିବାବେଳେ ମୃତକଙ୍କ ପରିଚୟ ମିଳିପାରିନାହିଁ । ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ସେପଟେ ମାଷ୍ଟରକାଣ୍ଟିନ ତଥା ଗାନ୍ଧିମାର୍ଗର ଗହଳି ଚହଳି ଅଞ୍ଚଳରେ ଦି ଦ୍ବିପହରେ ଏପରି ମୃତଦେହ ମିଳିବା ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି ।
ତେବେ ମୃତ ବ୍ୟକ୍ତି ଜଣକ ଏକ କଳା ରଙ୍ଗର ଟ୍ରାଉଜର ଓ ହଳଦିଆ ଟି-ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଥିବାବେଳେ ମୃତଦେହକୁ ତୁରନ୍ତ ହସ୍ପିଟାଲ ନେଇଥିଲା ପୋଲିସ । ମୃତଦେହ ଠାବ ପରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ପୋଷ୍ଟମର୍ଟମ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି କହିଛି ପୋଲିସ । ତେବେ ଆଗକୁ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଥିବା ବେଳେ ବିଧାନସଭା ସାମ୍ନାରେ ଅନେକ ସମୟରେ ରାଲି ବା ଧାରଣା ଦିଆଯାଇଥାଏ ।
ଦିନ ରାତି ଇଣ୍ଟେଲିଜେନ୍ସ ତଥା ଗୁଇନ୍ଦା ଓ ପୋଲିସ ଅଧିକାରୀଙ୍କ ଆଲର୍ଟରେ ଥିବା ଅଞ୍ଚଳରେ ଏଭଳି ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିବା ଘଟଣାକୁ ନେଇ ଉଠିଛି ପ୍ରଶ୍ନ । ସେପଟେ ହାଇସିକ୍ୟୁରିଟି ଅଞ୍ଚଳର ରାସ୍ତାକଡ଼ କ୍ବାଟର ନିକଟରୁ ମୃତଦେହ ଠାବ ହେବା ଘଟଣା ପୋଲିସର ଚିନ୍ତା ବଢ଼ାଇ ଦେଇଛି । କାରଣ ମୃତକଙ୍କର କୌଣସି ପରିଚୟ ପୋଲିସ ପାଇନଥିବାବେଳେ ସେଠାରେ ପଚରାଉଚରା ଜାରି ରଖିଛି ପୋଲିସ ।