ଭୁବନେଶ୍ବର:ଆହୁରି 2 ଦିନ ରାଜ୍ୟରେ ଘନ କୁହୁଡ଼ି ଦୃଶ୍ୟମାନ ହେବ । ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଜାରି ରହିବାର ସମ୍ଭାବନା ରହିଛି । ରାଜ୍ୟରେ ଶୀତର ଲହରୀ ଜାରି ରହିଥିବେଳେ ଘନ କୁହୁଡ଼ି ପାଇଁ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୦ରୁ ୨୦୦ ମିଟରର ଘନ କୁହୁଡି ଦୃଶ୍ୟମାନ ହୋଇଛି । କୋରାପୁଟ, ଦାରିଙ୍ଗିବାଡି, ଜି. ଉଦୟଗିରି, ସିମିଳିଗୁଡ଼ା ଓ ଫୁଲବାଣୀ ଆଦି ୫ ସହରରେ ୧୦ ଡିଗ୍ରୀରୁ କମ୍ ତାପମାତ୍ରା ରେକର୍ଡ ହୋଇଛି । ସେପଟେ ଗତ ୨୪ ଘଣ୍ଟାରେ ସମତଳ ଅଞ୍ଚଳ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ ରହିଥିବାବେଳେ ପାହାଡିଆ ଅଞ୍ଚଳ ଜି. ଉଜୟଗିରିରେ ୭.୪ ସେଲସିୟସ ରେକର୍ଡ ହୋଇଛି ।
ସେହିପରି କଟକରେ ୨୭.୬ ଡିଗ୍ରୀ ଓ ଭୁବନେଶ୍ୱରରେ ୨୮.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି । ଆଗାମୀ ୨୪ ଘଣ୍ଟାରେ ରାଜ୍ୟର କେତେକ ଅଞ୍ଚଳରେ ଘନ କୁହୁଡି ଦୃଶ୍ୟମାନ ହେବାକୁ ଥିବାବେଳେ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହି ସବୁ ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଅନୁଗୋଳ, ଢେଙ୍କାନାଳ, କନ୍ଧମାଳ, କଳାହାଣ୍ଡି, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, କୋରାପୁଟ ଓ ରାୟଗଡ଼ା ।
ଏହା ମଧ୍ୟ ପଢନ୍ତୁ...ପ୍ରକୃତିର କରିସ୍ମା; ଉତ୍ତରାଖଣ୍ଡର ପ୍ରବଳ ଶୀତ ଯୋଗୁଁ ବରଫ ପାଲଟିଲା ଝରଣା