ଭୁବନେଶ୍ବର: ୨୦୨୩ ବର୍ଷ ସରିବାକୁ ବସିଛି । ବର୍ଷରେ ରାଜ୍ୟକୁ ମିଳିଛି ଅନେକ ପୁରସ୍କାର ଓ ସମ୍ମାନ । ସମ୍ମାନୀତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ମିଳିଛି ବହୁତ ପ୍ରଶଂସା । ବାଲେଶ୍ଵର ବାହାନଗାରେ ଘଟିଥିବା ଇତିହାସର ସବୁଠାରୁ ବଡ଼ ରେଳ ଦୁର୍ଘଟଣାରେ ପଦକ୍ଷେପ ପାଇଁ ବିଶ୍ଵର ଦୃଷ୍ଟି ଆକର୍ଷଣ କରିଛନ୍ତି ଓଡିଶା ସରକାର । ବିପର୍ଯ୍ୟୟ ମୁକାବିଲା ପାଇଁ ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର, କ୍ରୀଡା ପ୍ରୋତ୍ସାହନ କ୍ଷେତ୍ରରେ ଓଡିଶାକୁ ଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କାର ମିଳିଛି । ସେହିପରି ଦୁର୍ଦ୍ଦଶ ପାଇଲଟ ବିଜୁ ପଟ୍ଟନାୟକଙ୍କ ସ୍ମୃତିକୁ ସମ୍ମାନ ଦେଇଛି ରାଜ୍ୟ । ବର୍ଷ ଶେଷ ହେଉ ହେଉ ନଜର ପକାନ୍ତୁ ଆମ ରାଜ୍ୟ ବିଦାୟୀ ବର୍ଷରେ ହାସଲ କରିଥିବା କିଛି ସଫଳତା ଉପରେ..
1- ଓଡିଶାର ବିପର୍ଯ୍ୟୟ ପରିଚାଳନା ଦେଖିଲା ବିଶ୍ବ:
୨୦୨୩ ଜୁନ ମାସ ୨ ତାରିଖରେ ବାଲେଶ୍ଵର ଜିଲ୍ଲାର ବାହାନଗା ରେଳ ଷ୍ଟେସନ ନିକଟରେ ଘଟିଥିଲା ମର୍ମନ୍ତୁଦ ରେଳ ଦୁର୍ଘଟଣା । ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ସାଲିମାର ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ, ମାଲବାହୀ ଓ ବେଙ୍ଗାଲୁରୁ-ହାଓଡା ସୁପରଫାଷ୍ଟ ଏକ୍ସପ୍ରେସ । ଇତିହାସର ସବୁଠାରୁ ବଡ଼ ରେଳ ଦୁର୍ଘଟଣାରେ ପ୍ରାୟ ୩୦୦ ଲୋକ ମୃତ୍ୟୁବରଣ କରିଥିବାବେଳେ ୧୦୦୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଦୁର୍ଘଟଣା ପରେ ଦେବଦୂତ ସାଜିଥିଲେ ସ୍ଥାନୀୟ ଲୋକେ, ସ୍ବେଚ୍ଛାସେବୀ ସଂଗଠନ, ସାମାଜିକ ଅନୁଷ୍ଠାନ । ରାଜ୍ୟ ସରକାରଙ୍କ ତ୍ବରିତ ପଦକ୍ଷେପ ଯୋଗୁଁ ଦୁର୍ଘଟଣାର ଗୋଲ୍ଡେନ ଆୱାରରେ ବେଶ ଭଲ କାର୍ଯ୍ୟ ହୋଇଥିଲା । ଯାହାକୁ ସାରା ବିଶ୍ଵ ପ୍ରଶଂସା କରିଥିଲା । ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଶତମୁଖ ହୋଇଥିଲେ ।
2- ଓଡ଼ିଶାର 'ଇ-ଅବକାରୀ'କୁ ସ୍ବର୍ଣ୍ଣ ପୁରସ୍କାର ଦେଲେ ରାଷ୍ଟ୍ରପତି:
ସ୍ବଚ୍ଛତା, ସମୟାନୁବର୍ତ୍ତିତା ତଥା ଅନଲାଇନ୍ ମାଧ୍ୟମରେ ସମସ୍ତ ସେବା ପ୍ରଦାନ ପାଇଁ ଓଡିଶା ସରକାରଙ୍କ ଅବକାରୀ ବିଭାଗକୁ ପୁରସ୍କାର ମିଳିଛି । 'ଇ-ଅବକାରୀ' ପାଇଁ ଚଳିତ ବର୍ଷ ସମ୍ମାନଜନକ ଡିଜିଟାଲ ଇଣ୍ଡିଆ ସ୍ବର୍ଣ୍ଣ ପୁରସ୍କାର ଗ୍ରହଣ କରିଛି ରାଜ୍ୟ । ରାଷ୍ଟ୍ରପତିଙ୍କ ଦ୍ବାରା ନୂଆଦିଲ୍ଲୀ ବିଜ୍ଞାନ ଭବନରେ ପୁରସ୍କାର ଗ୍ରହଣ କରିଛି ଓଡ଼ିଶା ।
3- ଫେରିଲା ବିଜୁ ବାବୁଙ୍କ ଡାକୋଟା:
ଓଡିଶାକୁ ଫେରିଛି ବିଜୁ ବାବୁଙ୍କ ଐତିହାସିକ ଡାକୋଟା ବିମାନ । ଏହି ସୁବର୍ଣ୍ଣ ମୁହୂର୍ତ୍ତର ମୁକ ସାକ୍ଷୀ ଥିଲା ସାରା ରାଜ୍ୟ । ବିଜୁ ବାବୁଙ୍କ ପୁଅ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନ ଉପରେ ପୁଷ୍ପ ବୃଷ୍ଟି କରି ଏହାକୁ ସ୍ବାଗତ କରିଥିଲେ ।
4- ଜମିଜମା ରେକର୍ଡ କମ୍ପ୍ୟୁଟରୀକରଣରେ ଓଡିଶା ଦେଶରେ ୧ ନମ୍ବର:
ଜମିଜମା ରେକର୍ଡ କମ୍ପ୍ୟୁଟରୀକରଣରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏହି କ୍ଷେତ୍ରରେ ଓଡିଶା ଦେଶର ଏକ ନମ୍ବର ରାଜ୍ୟ ହୋଇପାରିଛି । ଦେଶର ୭୫ଟି ଚିହ୍ନିତ ଜିଲ୍ଲା ମଧ୍ୟରୁ ଓଡ଼ିଶାର ୧୯ ଜିଲ୍ଲାର ଜିଲ୍ଲାପାଳଙ୍କୁ ମିଳିଛି ଜାତୀୟ ପୁରସ୍କାର । ପ୍ଲାଟିନମ ପୁରସ୍କାର ପାଇଁ ବିବେଚିତ ହୋଇଥିଲେ ଅନୁଗୋଳ, ବୌଦ୍ଧ, ବରଗଡ଼, ଭଦ୍ରକ, ଦେବଗଡ଼, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ରାୟଗଡ଼ା ଓ ସମ୍ବଲପୁର ଜିଲ୍ଲା ।
ଏହା ମଧ୍ୟ ପଢ଼ନ୍ତୁ...ସ୍ମୃତିରେ 2023: ବର୍ଷ ସାରା ଚର୍ଚ୍ଚାରେ ଥିଲା ଓଲିଉଡ଼, ବାଦ ବିବାଦରେ ଘେରି ରହିଥିଲେ ସେଲିବ୍ରିଟି
5- 'ଓସଡମା'କୁ ପୁଣି ଜାତୀୟ ସ୍ବୀକୃତି:
ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡିଶାକୁ ପୁନର୍ବାର ଜାତୀୟ ସ୍ବୀକୃତି ମିଳିଛି । ୨୦୨୩ ବର୍ଷ ପାଇଁ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ (ଓସଡମା)କୁ ମିଳିଛି ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ପୁରସ୍କାର ପାଇଛି 'ଓସଡମା' । ପୁରସ୍କାର ବାବଦରେ ରାଜ୍ୟକୁ ନଗଦ ୫୧ ଲକ୍ଷ ଟଙ୍କା ଓ ପ୍ରମାଣପତ୍ର ମିଳିଛି ।
6- ମୁକ୍ତାକୁ ଆର୍ନ୍ତଜାତୀୟ ସ୍ବୀକୃତି:
ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ମୁକ୍ତା ଯୋଜନାକୁ ମିଳିଛି ବିଶ୍ବସ୍ତରୀୟ ସ୍ବୀକୃତି । ଏହାକୁ କାର୍ଯ୍ୟକାରୀ କରୁଥିବା ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ୨୦୨୧-୨୦୨୨ ବିଶ୍ବ ସମ୍ବଳ ପ୍ରତିଷ୍ଠାନର ଅନ୍ୟତମ ବିଜେତା ଭାବରେ ମନୋନୀତ ହୋଇଛି । ଅନ୍ତର୍ଜାତୀୟ ଜୁରି ଦଳ ଏହି ପୁରସ୍କାର ପ୍ରତିଯୋଗିତାରେ ୬୫ଟି ଦେଶର ୧୫୫ଟି ସହରରୁ ଆସିଥିବା ୨୬୦ଟି ଆବେଦନ ମଧ୍ୟରୁ ମୁକ୍ତାକୁ ବିଜେତା ଭାବରେ ଚୟନ କରିଥିଲେ ।
7- ଓଡିଶାକୁ ମିଳିଲା 'ସ୍ପୋର୍ଟସ ଷ୍ଟାର' ଆୱାର୍ଡ:
କ୍ରୀଡ଼ା ପ୍ରୋତ୍ସାହନ କ୍ଷେତ୍ରରେ ଓଡିଶାକୁ ଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କାର ମିଳିଛି । ପ୍ରସିଦ୍ଧ କ୍ରୀଡା ପତ୍ରିକା 'ସ୍ପୋର୍ଟସ ଷ୍ଟାର' ପକ୍ଷରୁ ଏହି ପୁରସ୍କାର ଦିଆଯାଇଛି । ମୁମ୍ବାଇରେ ଆୟୋଜିତ 'Sport Star Aces-2023 Awards' କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 'Best State for Promotion of Sports' ପୁରସ୍କାର ଗ୍ରହଣ କରିଛନ୍ତି । ଚତୁର୍ଥ ଥର ପାଇଁ ଓଡିଶା ଏହି ମର୍ଯ୍ୟଦାଜନକ ପୁରସ୍କାର ପାଇଛି ।
8- ଜଳ ସମ୍ପଦ ବିଭାଗକୁ ୨ଟି ଜାତୀୟ ପୁରସ୍କାର:
ରାଜ୍ୟ ଜଳ ସମ୍ପଦ ବିଭାଗକୁ ମିଳିଛି ୨ଟି ଜାତୀୟ 'ୱାଟର ଡାଇଜେଷ୍ଟ ଆୱାର୍ଡ' । ୨୦୨୨-୨୩ ବର୍ଷରେ ଜଳ ସଂରକ୍ଷଣ ଓ ଜଳ ପରିଚାଳନା ପାଇଁ ମିଳିଛି ଏହି ୨ଟି ପୁରସ୍କାର । ଶ୍ରେଷ୍ଠ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଉପର ଇନ୍ଦ୍ରାବତୀ ବୃହତ ଉଠା ଜଳସେଚନ ପ୍ରକଳ୍ପ ପୁରସ୍କୃତ ହୋଇଥିବାବେଳେ ଅନ୍ୟଟି ଓଡିଶା ଉଠା ଜଳସେଚନ ନିଗମକୁ ଶ୍ରେଷ୍ଠ ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ପାଇଁ ପୁରସ୍କୃତ କରାଯାଇଛି । ଓଏଲ୍ଆଇସି କ୍ରମାଗତ ଦ୍ଵିତୀୟ ଥର ପାଇଁ ଏହି ପୁରସ୍କାର ପ୍ରାପ୍ତ କରିଛି ।
ଏହା ମଧ୍ୟ ପଢ଼ନ୍ତୁ...ହକି ବିଶ୍ବକପ୍ ଯୋଗୁଁ ବିଶ୍ବ ଦେଖିଲା ଷ୍ଟିଲ୍ ସିଟି, ଚର୍ଚ୍ଚାରେ ରହିଥିଲା ଆସିଷ୍ଟାଣ୍ଟ କଲେକ୍ଟରଙ୍କ ମୃତ୍ୟୁ
9- ଆଇଡବ୍ଲ୍ୟୁଏ ଉପଦେଷ୍ଟା ବୋର୍ଡରେ ଜି. ମାଥିଭାଥନନ:
ଆଇଡବ୍ଲ୍ୟୁଏର ଉପଦେଷ୍ଟା ପରିଷଦରେ ସାମିଲ ହୋଇଛନ୍ତି ଜି. ମାଥିଭାଥନନ । ଜି. ମାଥିଭାଥନନଙ୍କୁ 'ଇଣ୍ଟରନାସ୍ନାଲ ୱାଟର ଆସୋସିଏସନ' ସଦସ୍ୟ ଭାବେ ମନୋନୀତ କରାଯାଇଛି । ଏହି ଆସୋସିଏସନରେ ସାମିଲ ହୋଇଥିବା ୧୧ ଜଣ ବୋର୍ଡ ସଦସ୍ୟଙ୍କ ମଧ୍ୟରେ ଜି. ମାଥିଭାଥନନ ଅନ୍ୟତମ । ଜି. ମାଥିଭାଥନନ ରାଜ୍ୟ ସରକାରଙ୍କ ବରିଷ୍ଠ ଆଇଏଏସ୍ ଅଫିସର ତଥା ରାଜ୍ୟ ଗୃହ ର୍ନିମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟରତ । ଭାରତରୁ ଏକମାତ୍ର ପ୍ରତିନିଧି ଭାବରେ ସେ ଏହି ଆର୍ନ୍ତଜାତିକ ପରିଷଦକୁ ମନୋନୀତ ହୋଇଛନ୍ତି ।
10- ଗଞ୍ଜାମ ଦେଶର ଶ୍ରେଷ୍ଠ ଜିଲ୍ଲା, ହିଞ୍ଜିଳିକାଟୁ ଶ୍ରେଷ୍ଠ ବ୍ଲକ:
୨୦୨୩ରେ ଗଞ୍ଜାମ ଦେଶର ଶ୍ରେଷ୍ଠ ଜିଲ୍ଲା ଓ ହିଞ୍ଜିଳିକାଟୁ ଦେଶର ଶ୍ରେଷ୍ଠ ବ୍ଲକ ହୋଇପାରିଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ସମ୍ମାନିତ ହୋଇଛି ଓଡିଶା । ତୃଣମୂଳ ସ୍ତରରେ ନିରନ୍ତର ବିକାଶ ଲାଗି ଶ୍ରେଷ୍ଠ ସ୍ଥାନ ହାସଲ କରିଛି ଗଞ୍ଜାମ ଜିଲ୍ଲା । ସେହିପରି ଦେଶର ସମସ୍ତ ୬୬୧୨ ବ୍ଲକ ମଧ୍ୟରେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ବ୍ଲକ ଶୀର୍ଷ ସ୍ଥାନ ହାସଲ କରିଛି । ହିଞ୍ଜିଳି ବ୍ଲକର କଣଚୁରା ପଞ୍ଚାୟତ ଦେଶର ଦ୍ବିତୀୟ ଶ୍ରେଷ୍ଠ ସୁସ୍ଥ ପଞ୍ଚାୟତ ଘୋଷିତ ହୋଇଛି । ସେହିପରି ଶାସନ ଆମ୍ବଗାଁ ଦ୍ବିତୀୟ ଶ୍ରେଷ୍ଠ ସ୍ବଚ୍ଛ ଓ ସବୁଜ ପଞ୍ଚାୟତ ହୋଇଛି । ସାମାଜିକ ସୁରକ୍ଷା ଦୃଷ୍ଟିରୁ ଭଞ୍ଜନଗର ବ୍ଲକ ଅନ୍ତର୍ଗତ କୁଲାଡ଼ ଦେଶର ଦ୍ବିତୀୟ ଶ୍ରେଷ୍ଠ ପଞ୍ଚାୟତ ଭାବେ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛି । ସ୍ବତନ୍ତ୍ର ବର୍ଗର ପୁରସ୍କାର ତାଲିକାରେ ପାତ୍ରପୁର ବ୍ଲକ ଆଙ୍କୁଲି ଗ୍ରାମ ପଞ୍ଚାୟତ ଦ୍ଵିତୀୟ ଶ୍ରେଷ୍ଠ ଉର୍ଜା ସ୍ବରାଜ ବିକାଶ ପଞ୍ଚାୟତ ଭାବେ ବିବେଚିତ ହୋଇଛି । କାର୍ବନ ନେଚୁରାଲ ବିଶେଷ ପଞ୍ଚାୟତ ପୁରସ୍କାର ପାଇଁ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଗ୍ରାମ ପଞ୍ଚାୟତ ଚୟନ ହୋଇଛି ।
11- ଓଏସ୍ଏଏମ୍ ବୋର୍ଡକୁ ସ୍କଚ୍ ପୁରସ୍କାର:
ଓଡିଶା ରାଜ୍ୟ କୃଷି ବିପ୍ପଣନ ବୋର୍ଡକୁ ସ୍କଚ- ୨୦୨୩ ପୁରସ୍କାର ମିଳିଛି । କୃଷିରେ ରୌପ୍ୟ ବର୍ଗରେ ଇ-ନାମ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ରାଜ୍ୟର କୃଷକମାନଙ୍କ ହିତ ପାଇଁ 5T ଶାସନାଦେଶ ଅନୁୟାୟୀ ସ୍ବଚ୍ଛତା ବଜାୟ ରଖିବା ପାଇଁ ଏହି ସମ୍ମାନ ମିଳିଛି ।
ଏହା ମଧ୍ୟ ପଢ଼ନ୍ତୁ...ସ୍ବାସ୍ଥ୍ୟ କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ, BSKYଠୁ ବିଶ୍ବସ୍ତରୀୟ ହବ୍ ସବୁଥିରେ ନମ୍ବର-1
12- ଦ୍ବିତୀୟ ସର୍ବାଧିକ କାଳ ମୁଖ୍ୟମନ୍ତ୍ରୀ ନବୀନ:
୨୦୨୩ରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶର ଦ୍ଵିତୀୟ ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ରହିବାର ଗୌରବ ଅର୍ଜନ କରିଛନ୍ତି ନବୀନ । ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କୁ ପଛରେ ପକାଇ ରେକର୍ଡ କରିଥିଲେ ନବୀନ । ସିକିମର ମୁଖ୍ୟମନ୍ତ୍ରୀ ପବନ ସିଂ ଚାମଲିଂ ସର୍ବାଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ହେବା ଗୌରବ ବହନ କରୁଛନ୍ତି ।
13- ଶ୍ରେଷ୍ଠ ପାଭିଲିୟନ ଭାବେ ଓଡ଼ିଶା ମଣ୍ଡପକୁ ସ୍ଵର୍ଣ୍ଣ:
ନୂଆଦିଲ୍ଲୀ ପ୍ରଗତି ମୈଦାନରରେ ଆୟୋଜିତ ଭାରତ ଆନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଶ୍ରେଷ୍ଠ ପାଭିଲିୟନ ଭାବେ ଓଡିଶା ପାଭିଲିୟନକୁ ସ୍ଵର୍ଣ୍ଣ ପୁରସ୍କାର ମିଳିଛି । ଭାରତ ବାଣିଜ୍ୟ ପ୍ରୋତ୍ସାହନ ସଂଗଠନ ତରଫରୁ ପୁରସ୍କାର ପାଇବା ପାଇଁ ଓଡ଼ିଶା ଯୋଗ୍ୟ ବିବେଚିତ ହୋଇଥିଲା । ଚଳିତ ବର୍ଷର ବିଷୟବସ୍ତୁ ବସୁଧୈବ କୁଟୁମ୍ବକମ, ୟୁନାଇଟେଡ ବାଇ ଟ୍ରେଡ ଆଧାରରେ ପ୍ରାଚୀନ କଳିଙ୍ଗର ଗୌରବମୟ ନୌବାଣିଜ୍ୟ ପରମ୍ପରା ଏବଂ ଉତ୍କଳୀୟ କଳାକୃତିକୁ ଜୀବନ୍ତ ଭାବେ ପ୍ରଦର୍ଶିତ କରିଥିଲା ଓଡ଼ିଶା ପାଭିଲିୟନ ।
ଏହା ମଧ୍ୟ ପଢ଼ନ୍ତୁ...ତଦନ୍ତକାରୀ ଟିମ୍ ଜାଲରେ ଫସିଥିଲେ ବଡ଼ ବଡ଼ିଆ, ଟଙ୍କାର ପାହାଡ଼ ଦେଖି ତାଜୁବ ରାଜ୍ୟବାସୀ
14- ଓଡ଼ିଶା ମିଲେଟସ ମିଶନକୁ ଗ୍ଲୋବାଲ ମଡେଲ ପୁରସ୍କାର:
ଅନ୍ତରାଷ୍ଟ୍ରୀୟ ପୁଷ୍ଟିଶସ୍ୟ ସମ୍ମିଳନୀ ୫.୦ରେ ଓଡ଼ିଶା ମିଲେଟ୍ ମିଶନକୁ ମିଲେଟ୍ ପ୍ରୋତ୍ସାହନ ପାଇଁ ଗ୍ଲୋବାଲ ମଡେଲ ପୁରସ୍କାର ମିଳିଛି । ହାଇଦ୍ରାବାଦରେ ଅନୁଷ୍ଠିତ ଅନ୍ତରାଷ୍ଟ୍ରୀୟ ପୁଷ୍ଟିଶସ୍ୟ ସମ୍ମିଳନୀରେ ଓଡ଼ିଶାକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ ପାଢ଼ୀ ଏହି ପୁରସ୍କାର ତେଲେଙ୍ଗାନାର ରାଜ୍ୟପାଳଙ୍କଠାରୁ ଗ୍ରହଣ କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର