ଖୋର୍ଦ୍ଧା:ପୁରୁଣା ଘରର ପଥର କାନ୍ଥ ଭାଙ୍ଗୁଥିବା ବେଳେ ବିମ୍ ପଡି ଶ୍ରମିକ ମୃତ । ଏଭଳି ଦୁଃଖଦ ଘଟଣା ଘଟିଛି ଜଟଣୀ ପୌର ପରିଷଦ ଅଧିନ 9 ନମ୍ବର ୱାର୍ଡ ଷଣ୍ଢପୁର ଅଞ୍ଚଳରେ । ମୃତ ଶ୍ରମିକ ଜଣଙ୍କ ହେଉଛନ୍ତି ଧଉଳିମୁହଁ ଗ୍ରାମର ୩୫ ବର୍ଷୀୟ ମୋହନ ମାଝୀ ବୋଲି ଜଣାପଡିଛି ।
ସୂଚନା ମୁତାବକ, ଗତକାଲି ସକାଳୁ ବର୍ଷା ଲାଗି ରହିଥିଲା । ଏହି ସମୟରେ କିଛି ଶ୍ରମିକ ଜଟଣୀ ଷଣ୍ଢପୁର ଅଞ୍ଚଳରେ ଥିବା ସରକାରୀ ଜାଗାରେ ନିର୍ମାଣ ହୋଇଥିବା ଏକ ଅର୍ଦ୍ଧ ନିର୍ମିତ ଘର ଭାଙ୍ଗିବାକୁ ଯାଇଥିଲେ । ଦିନ ପାଖାପାଖି 3ଟା ସମୟରେ ଘର କାନ୍ଥ ଭାଙ୍ଗିବା ସମୟରେ ହଠାତ୍ ବିମ ଧସି ଶ୍ରମିକଙ୍କ ଉପରେ ପଡି ଯାଇଥିଲା । ବିମ ବହୁତ ଓଜନ ଥିବାରୁ ପାଖରେ ଥିବା ଅନ୍ୟ ଶ୍ରମିକମାନେ ବିମକୁ ଯେତେ ଚେଷ୍ଟା କରିଥିଲେ ବି ଉଠାଇ ପାରି ନଥିଲେ ।
ଏନେଇ ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀଙ୍କ ସହାୟତାରେ ଜେସିବି ଦ୍ୱାରା ବିମ୍ ଉଠା ଯାଇଥିଲା । ପରେ ତାଙ୍କୁ ଜଟଣୀ ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ୍ୟୁ ଘୋଷଣା କରିଥିଲେ । ଏନେଇ ଜଟଣୀ ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଅନ୍ୟପଟେ ଶ୍ରମିକର ଜୀବନ ଚାଲି ଯାଇଥିବାରୁ ଉକ୍ତ ପରିବାରକୁ ତୁରନ୍ତ କ୍ଷତିପୂରଣ ଦେବା ପାଇଁ ଧଉଳିମୁହଁ ସରପଞ୍ଚ ଓ ଗ୍ରାମବାସୀ ଦାବି କରିଛନ୍ତି ।