ଭୁବନେଶ୍ବର:ଆବଣ୍ଟିତ ହେବ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ 9.59 ଲକ୍ଷ ହିତାଧିକାରୀଙ୍କୁ ୱାର୍କ ଅର୍ଡର । ଗ୍ରାମ ସଭାରେ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଅନୁମୋଦନ ପରେ ଫେବୃଆରୀ ମଧ୍ୟ ଭାଗ ସୁଦ୍ଧା ଗୃହ ନିର୍ମାଣ କାର୍ଯ୍ୟାଦେଶ ମିଳିବ । PMAY(G) ଯୋଜନାରେ କେନ୍ଦ୍ର ଓ ରାଜ୍ୟ ଅଂଶଧନ 60:40 ପ୍ରତିଶତ ଥିବା ବେଳେ ଏଥିରେ ରାଜ୍ୟ ସରକାରଙ୍କ ବିଜୁ ପକ୍କା ଘର ଲୋଗୋ ରହିବ ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଯେହେତୁ ରାଜ୍ୟ 40 ପ୍ରତିଶତ ଅର୍ଥ ଦେଉଛି, ସେଥିପାଇଁ ରାଜ୍ୟ ସରକାରଙ୍କ ଲୋଗୋ ରହିବ ବୋଲି ସୂଚନା ମିଳିଛି । ଯାହାକୁ ନେଇ ଏବେ ଠାରୁ ରାଜନୀତି ଆରମ୍ଭ ହୋଇଯାଇଛି । ରାଜ୍ୟ ସରକାରଙ୍କ ଲୋଗୋ ରହିବ ନ ନାହିଁ ସେନେଇ ସ୍ପଷ୍ଟ ସୂଚନା ଦେଇ ନାହାନ୍ତି ପଞ୍ଚାୟତି ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ସୁଶୀଲ କୁମାର ଲୋହାନି । ତେବେ ତାଲିକା ପ୍ରକାଶ ନହେଉଣୁ ମାଇଲେଜ ପାଇଁ ଆରମ୍ଭ ହୋଇଯାଇଛି ରାଜନୀତି । ତେଣେ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି ।
ପ୍ରମୁଖ ଶାସନ ସଚିବ କହିଛନ୍ତି ଯେ, କିଛି ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅନେକ ଅଭିଯୋଗ ଆସିଥିଲା । ସେଥିରୁ ଲୋଗୋକୁ ନେଇ ମଧ୍ୟ ଅଭିଯୋଗ ଥିଲା । ଏହାର ତଦନ୍ତ କରିବା ଲାଗି କେନ୍ଦ୍ରୀୟ ପ୍ରତିନିଧି ଦଳ 2 ଥର ଓଡିଶା ଆସିଛନ୍ତି । ପରେ ସ୍ପଷ୍ଟୀକରଣ ମଗାଯାଇଥିଲା । ତାହାର ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଉତ୍ତର ରଖିଛନ୍ତି । ଉତ୍ତରରେ ସନ୍ତୁଷ୍ଟ ହେବା ପରେ କାର୍ଯ୍ୟାଦେଶ ଦେବାକୁ ଅନୁମତି ଦିଆଯାଇଛି । ଆମେ ପ୍ରତିଶ୍ରୁତି ଦେଇଛୁ ଯେ, ପ୍ରଧାନମନ୍ତ୍ରୀ ଆବାସ ଲୋଗୋ ପ୍ରୋମିନେଟଲି ରହିବ । ଯେହେତୁ ଏହି ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଂଶଧନ 60:40 ପ୍ରତିଶତ ରହିଛି । ଏହାଠାରୁ ଅଧିକ କହିବା ଲାଗି ମୁଁ ସ୍ୱୀକୃତିପ୍ରାପ୍ତ ନୁହେଁ ବୋଲି ସଚିବ କହିଛନ୍ତି ।