ଖୋର୍ଦ୍ଧା:ମହିଳାଙ୍କ ପେଟର ବଢୁଥିଲା ଟ୍ୟୁମର । କିନ୍ତୁ ଗର୍ଭବତୀ ଦର୍ଶାଇ ମହିଳାଙ୍କୁ ସ୍ବାସ୍ଥ୍ୟ କେନ୍ଦ୍ରରେ କରାଯାଉଥିଲା ଚିକିତ୍ସା । ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ 8 ମାସ ହେଲା ଜଣେ ଦିବ୍ୟାଙ୍କ ମହିଳାଙ୍କର ଚିକିତ୍ସା ଚାଲିଥିଲା । କିନ୍ତୁ ଅଲଟ୍ରାସାଉଣ୍ଡ ପରୀକ୍ଷାରେ ପେଟରେ ଟ୍ୟୁମର ଥିବା ଜଣାପଡିବା ପରେ ଏବେ ପଦାରେ ପଡିଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅସଲି ଚିତ୍ର । ମହିଳା ଜଣଙ୍କ ହେଉଛନ୍ତି ସ୍ବର୍ଣ୍ଣଲତା ସାହୁ ।
ସ୍ବର୍ଣ୍ଣଲତା ସାହୁ ବିବାହିତା ହୋଇଥିବା ବେଳେ ଜନ୍ମରୁ ମୂକ ଓ ବଧିର । ମହିଳାଙ୍କ ସ୍ଵାମୀ ଦିନ ମଜୁରିଆ ହୋଇଥିବା ବେଳେ ତାଙ୍କର ଦୁଇଟି ଝିଅ ମଧ୍ୟ ରହିଛନ୍ତି । କିଛି ମାସ ପୂର୍ବରୁ ସ୍ବର୍ଣ୍ଣଲତାଙ୍କ ଋତୁସ୍ରାବ ବନ୍ଦ ହୋଇଯିବା କାରଣରୁ ସେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କୁ ଦେଖାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ଗର୍ଭବତୀ ଥିବା କହିଥିଲେ । ଆଉ ସେବେ ଠାରୁ ଦୀର୍ଘ 8 ମାସ ପର୍ଯ୍ୟନ୍ତ ମହିଳା ଜଣଙ୍କର ଚିକିତ୍ସା ଚାଲିଥିଲା । କିନ୍ତୁ କୌଣସି ଏକ କାରଣରୁ ସ୍ବର୍ଣ୍ଣଲତାଙ୍କ ମାଆ ଟିକିନାଙ୍କ ସନ୍ଦେହ ହେବାରୁ ସେ ସ୍ଥାନୀୟ ଏକ ଘରୋଇ କ୍ଲିନିକରେ ଝିଅର ଅଲଟ୍ରାସାଉଣ୍ଡ ପରୀକ୍ଷା କରିଥିଲେ । ସେଥିରେ ଯାହା ରିପୋର୍ଟ ଆସିଲା ତାହା ଦେଖି ଚମକି ପଡିଥିଲେ ଟିକିନା । ତାଙ୍କ ଝିଅ ପେଟରେ ପିଲା ନୁହଁ ବର ଟ୍ୟୁମର ଥିବା ସେ ଜାଣିବାକୁ ପାଇଥିଲେ ।