ଭୁବନେଶ୍ବର:ଆଜିର ନାରୀ, ସଶକ୍ତ ନାରୀ । ଅନ୍ୟମାନଙ୍କ ପାଇଁ ସାଜିଛି ପଥ ପ୍ରଦର୍ଶକ । ସମାଜର ସବୁ ଶିକୁଳିରୁ ମୁକ୍ତ ହୋଇ ଆଜି ସବୁଠୁ ଆଗରେ ମହିଳା । ସେ ଆତ୍ମନିର୍ଭରଶୀଳ, ସ୍ବାବଲମ୍ବୀ ଓ ପ୍ରଗତିଗାମୀ । ମହିଳାଙ୍କ ବିକାଶ ପାଇଁ କ୍ରମାଗତ ଭାବେ ପଦକ୍ଷେପ ନେଉଛନ୍ତି ସରକାର । ଏହି କ୍ରମରେ ଆଉ ଦୁଇ ପାଦ ଆଗେଇବା ପାଇଁ ମହିଳାଙ୍କୁ ଯୋଗାଇ ଦିଆଯାଇଛି ଶିଳ୍ପୀ ବଜାର । ପ୍ରତିଭା ସମ୍ପନ୍ନ ମହିଳାଙ୍କୁ ତାଙ୍କ କଳା ପ୍ରଦର୍ଶନୀ ସହ ସ୍ୱାବଲମ୍ବୀ କରିବାକୁ ଏବେ ଓଡ଼ିଶାରେ ଦେଖିବାକୁ ମିଳୁଛି ମହିଳା ଶିଳ୍ପୀ ବଜାର । ଯେଉଁଠି ମହିଳା କାରିଗରମାନେ ତୁଳୀ ମାଧ୍ୟମରେ ନିଜ ପାରଦର୍ଶିତା ଦେଖାଇଛନ୍ତି । ନିଜ ହାତର ଯାଦୁଗରୀରେ ଗୋବର ଓ କାଗଜରେ ତିଆରି କରୁଛନ୍ତି ସୁନ୍ଦର ହସ୍ତକଳା । ଦୁଇ ପଇସା ରୋଜଗାର କରି ନିଜେ ସ୍ୱାବଲମ୍ବୀ ହେବା ସହ ପରିବାର ବି ପ୍ରତିପୋଷଣ କରିପାରୁଛନ୍ତି ।
ଭୁବନେଶ୍ୱର ସ୍ଥିତ ବୁଦ୍ଧ ପାର୍କରେ ଓଡିଶା ଲଳିତ କଳା ଏକାଡେମୀ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ କାଗଜ ମୁଖା ଓ କଣ୍ଢେଇ ପ୍ରସ୍ତୁତି ମହିଳା ଶିଳ୍ପୀ ବଜାର ବା ଶିବିର ଅନୁଷ୍ଠିତ ହୋଇଯାଇଛି । ହଜିଯାଉଥିବା ପାରମ୍ପରିକ କଳାକୁ ବଞ୍ଚାଇ ରଖିବା ସହ ମହିଳାଙ୍କୁ ସ୍ବାବଲମ୍ବୀ କରିବା ଏହି ଶିବିରର ମୂଳ ଉଦ୍ଦେଶ୍ୟ । ଏହି ଶିବିର ୩୧ ଜଣ ମହିଳା କାରିଗର ସାମିଲ ହୋଇଛନ୍ତି । ରାଜ୍ୟର ରଘୁରାଜପୁର, ପୁରୁଣା ଭୁବନେଶ୍ୱର, ସୋନପୁର, ଗଞ୍ଜାମ, କଟକ ଓ ଢେଙ୍କାନାଳ ଜିଲ୍ଲାର ମହିଳା କାରିଗରମାନେ ଏଥିରେ ଯୋଗ ଦେଇଛନ୍ତି । ହାତରେ ତୁଳୀ ଧରି କାଗଜ ଓ ଗୋବରରେ ତିଆରି କରୁଛନ୍ତି ଆକର୍ଷଣୀୟ କଳାକୃତି । ପରିଶ୍ରମ ନୁହେଁ କଳାକୁ ବଞ୍ଚାଇ ରଖିବାର ପ୍ରୟାସ ଏମାନଙ୍କୁ ଏଠାକୁ ଟାଣି ଆଣିଛି । ମହିଳାମାନେ କାଗଜର ମୁଖା, ହାତୀ ମୁଖା, ଘୋଡା ମୁଖା, ସିଂହ ମୁଖା ଭଳି ଭଳିକି ଭଳି ମୁଖା ତିଆରି କରିଛନ୍ତି । ଯାହା ଦେଖିବାକୁ ଅତ୍ୟନ୍ତ ଆକର୍ଷଣୀୟ । ମହିଳା କାରିଗରଙ୍କ ହାତର ସ୍ପର୍ଶରେ ଜୀବନ୍ତ ହୋଇ ଉଠିଛି କଳାକୃତ୍ତି ।