ଓଡିଶା

odisha

By

Published : Jan 23, 2023, 9:55 AM IST

ETV Bharat / state

ନ୍ୟାୟ ପାଇଁ ଦୁଇମାସ ଧରି ସ୍ୱାମୀ ଘର ଦୁଆରେ ସ୍ତ୍ରୀର ଧାରଣା

ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ନିକଟରେ ଦୀର୍ଘ ଦୁଇମାସ ଧରି ସ୍ୱାମୀକୁ ପାଇବା ଦାବିରେ ଶାଶୁ ଘର ପିଣ୍ଡାରେ ବସିଛନ୍ତି ପିଙ୍କି । ଅଧିକ ପଢନ୍ତୁ

women on dharna
women on dharna

women on dharna

ଖୋର୍ଦ୍ଧା:୭ ବର୍ଷ ତଳେ ପ୍ରେମ ବିବାହ କରିଥିଲେ, ଭୁବନେଶ୍ବରରେ ଏକାଠି ଭଡା ଘରେ ମଧ୍ୟ ରହୁଥିଲେ । କିନ୍ତୁ ହଠାତ ସୁଖରେ ସଂସାରରେ ଆସିଲା ଝଡ । ସ୍ତ୍ରୀ ପିଙ୍କିଙ୍କୁ ଛାଡି ଚାଲିଗଲେ ସ୍ବାମୀ ଅଶୋକ । ଆଉ ଶେଷରେ ସ୍ବାମୀ ଖୋଜି ଖୋଜି ନପାଇବାରୁ ନ୍ୟାୟ ପାଇଁ ଏବେ ଶ୍ବଶୁର ଘର ସମ୍ମୁଖରେ ଧାରଣାରେ ବସିଛନ୍ତି ମହିଳା । ନିଜର ହକ୍ ପାଇଁ ସ୍ବାମୀ ଘର ପିଣ୍ଡାରେ ବସିଛନ୍ତି ସ୍ତ୍ରୀ । ଅଣ ଓସାରିଆ ପିଣ୍ଡାରେ ନିଜେ ରୋଷେଇ ଖାଉବା ସହ ଓ ସେଇଠି ଶୋଉଛନ୍ତି । ଏମିତି ଦୀର୍ଘ ଦୁଇମାସ ଧରି ସ୍ୱାମୀକୁ ପାଇବା ଦାବିରେ ଶାଶୁ ଘର ପିଣ୍ଡାରେ ବସିଛି ବୋହୂ । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଅନ୍ତର୍ଗତ ବାଘମାରୀ ଗ୍ରାମରେ ।

ବାଘମାରୀର ଅଶୋକ ଦାଶ ନାମକ ଜଣେ ଯୁବକ ଅନୁଗୋଳର ପିଙ୍କି ବେହେରା ନାମ୍ନୀ ଜଣେ ଯୁବତୀଙ୍କୁ ୭ବର୍ଷ ତଳେ ବାହା ହୋଇ ଭୁବନେଶ୍ଵରରେ ରହୁଥିଲେ । ଗତ ଜୁନ ୧୩ ତାରିଖରୁ ଅଶୋକ ପିଙ୍କିକୁ ଛାଡି କୁଆଡେ ପଳେଇଲା । ସ୍ବାମୀକୁ ନପାଇ ଖାରବେଳ ନଗର ଥାନାରେ ଏତଲା ଦେଇଥିଲା ପିଙ୍କି । କିନ୍ତୁ ନ୍ୟାୟ ପାଇଲେ ନାହିଁ । ଶେଷରେ ଖୋଜି ଖୋଜି ଆସି ଅଶୋକର ଗ୍ରାମ ବାଘମାରୀରେ ପହଞ୍ଚିଥିଲେ । ଏଥିସହ ଗତ ନଭେମ୍ବର ମାସ 26 ତାରିଖରୁ ସ୍ୱାମୀ ଘର ଆଗରେ ଧାରଣାରେ ବସିଛନ୍ତି ।

ସେହିପରି ପିଙ୍କି ଜାତିକୁ ନେଇ ଶାଶୂଘର ଲୋକ ଗ୍ରହଣ କରୁନଥିବା ଅଭିଯୋଗ କରୁଛନ୍ତି ପିଙ୍କି । ସହିବାର ସବୁ ସୀମା ଟପି ସାରିଥିବା କହିଛନ୍ତି । ଯାହାକୁ ଭରସା କରି ବିବାହ କରିଥିଲି ସେ ଆଜି ମତେ ଦାଣ୍ଡରେ ବସାଇଛି, ଆଉ ମୋର କେହି ନାହାନ୍ତି,ମୁଁ କୁଆଡେ ଯିବି ବୋଲି ପ୍ରଶ୍ନ କରିଛନ୍ତି ପିଙ୍କି । ସେହିପରି ଭୁବନେଶ୍ୱର ଡିସିପି, ଖୋର୍ଦ୍ଧା ଏସ୍ପି ସମସ୍ତଙ୍କୁ ଜଣାଇ ମଧ୍ୟ ମୁଁ ନ୍ୟାୟ ପାଇନି ବୋଲି କୋହଭରା କଣ୍ଠରେ କହିଛନ୍ତି ।

ସେପଟେ ଆସନ୍ତା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଅଶୋକଙ୍କୁ ଅପେକ୍ଷା କରିବେ ନଚେତ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବେ ବୋଲି କହିଛନ୍ତି । ଭୁବନେଶ୍ୱରରେ ଥିବା ଘର ଭଡା ଦେଇ ନ ପାରିବାରୁ ସବୁ ଅସବାପତ୍ର ଧରି ଅଶୋକ ଘର ପିଣ୍ଡାରେ ବସି ଲୁହ ଗଡାଉଛନ୍ତି । ପିଲାଟି ଦିନରୁ ବାପ ଛେଉଣ୍ଡ ହୋଉଥିବାରୁ ଆହା କହିବାକୁ କେହି ନଥିବା ବେଳେ ଅଶୋକ ତାଙ୍କ ମଥାରେ ସିନ୍ଦୁର ଦେଇ ବିବାହ କରିଥିଲେ । ଆଉ ଆଜି ତାଙ୍କ ଦୁଆରେ ନ୍ୟାୟ ପାଇଁ ବସିଛି ବୋଲି କହିଛନ୍ତି । ସେପଟେ ପିଙ୍କିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବାଘମାରୀ ପୋଲିସ ଜଣେ ମହିଳା ପୋଲିସଙ୍କୁ ମୁତୟନ କରି ଦାୟିତ୍ୱ ସାରିଦେଇଛି । ସେପଟେ ପିଙ୍କିଙ୍କ ଶାଶୁ ଘର ଲୋକଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ପ୍ରକାଶ ଥାଉକି, ଆଗରୁ ମଧ୍ୟ ପିଙ୍କି ଓ ଆଲୋକଙ୍କ ଭିଡିଓ ଏବେ ସାମ୍ନାକୁ ଆସିଥିଲା । ଯାହାକୁ ଦେଖିଲେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ କେତେ ନିବିଡ ଥିଲା ତାହା ସ୍ପଷ୍ଟ ବାରି ହୋଇପଡୁଥିଲା । ହେଲେ ଆଜି ସେହି ସୁଖର ସଂସାର ଉଜୁଡି ଯାଇଛି।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details