ଭୁବନେଶ୍ବର: କେନ୍ଦୁଝର ଘସିପୁରାରେ ମହିଳାଙ୍କ ହତ୍ୟା ମାମଲାକୁ ନେଇ ସରାକରଙ୍କ ଉପରେ ବର୍ଷିଲା ବିଜେପି । ସାମ୍ବାଦିକ ସମ୍ମିଳନୀ କରି ସରାକରଙ୍କୁ ସମାଲୋଚନା କରିଛି ବିଜେପି । ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି, "କେନ୍ଦୁଝର ଘସିପୁରା ନିର୍ବାଚନ ମଣ୍ଡଳୀରେ ବିଧାୟକ ବଦ୍ରି ନାରାୟଣ ପାତ୍ର ଧ୍ରୁତରାଷ୍ଟ୍ର ସାଜିଛନ୍ତି ଏବଂ ତାଙ୍କର ପୁଅ ଦୁର୍ଯ୍ୟୋଧନ ଶାସନ କରୁଛନ୍ତି । ଅନ୍ୟାୟ ବିରୁଦ୍ଧରେ ଲୋକେ ପ୍ରତିବାଦ କଲେ ଲୋକଙ୍କୁ ମୁଣ୍ଡ ଦେବାକୁ ପଡୁଛି । ମାର୍ଚ୍ଚ ୨୨ରେ ବେଆଇନ ବାଲିଘାଟକୁ କେନ୍ଦ୍ର କରି ରାମଚନ୍ଦ୍ରପୁର ଥାନା ଅଞ୍ଚଳ ରେ ଗାଁ ଲୋକ ପ୍ରତିବାଦ କରିଥିଲେ । ହେଲେ ପ୍ରଶାସନ ସେମାନଙ୍କୁ ସହଯୋଗ କଲେ ନାହିଁ ।"
ଏହାସହ ଦିଲ୍ଲୀପ ମଲ୍ଲିକ କହିଛନ୍ତି, "ବିଧାୟକଙ୍କ ପୁଅ ଦେବାଶିଷ ପାତ୍ର ଚେୟାରମ୍ୟାନଙ୍କ ଜରିଆରେ ଲୋକଙ୍କ ଉପରେ ଆକ୍ରମଣ କଲେ । ବେଆଇନ ବାଲି ଚାଲାଣକୁ ବିରୋଧ କରୁଥିବା ସେହି ଗାଁର ମଲ୍ଲୀ ଜେନାଙ୍କୁ ହାଣି ଦେଇଛନ୍ତି । ଶେଷରେ ମଲ୍ଲୀ ଜେନାଙ୍କର କଟକ ମେଡିକାଲରେ ମୃତ୍ୟୁ ହୋଇଛି । ଯେଉଁ ସରକାର ମହିଳାଙ୍କୁ ଅଧିକ ପ୍ରାଧାନ୍ୟ ଦେଉଛି ବୋଲି କହୁଛି ସେହି ଦଳର ବିଧାୟକ କେମିତି ଏମିତି କରୁଛନ୍ତି ବୋଲି ପ୍ରଶ୍ନ କରିଛିନ୍ତି ।
ଏହାକୁ ନେଇ ମାର୍ଚ୍ଚ ୨୯ ତାରିଖରେ ପୃଥ୍ୱୀରାଜ କୁଆଁରଙ୍କ ନେତୃତ୍ୱରେ କେନ୍ଦୁଝର ଏସପିଙ୍କୁ ଭେଟିଥିଲା ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ । ଘସିପୁରା ଅଞ୍ଚଳରେ କେମିତି ଶାନ୍ତି ଫେରିବ ସେନେଇ ପୋଲିସ ଡିଜି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି । ରାଜ୍ୟରେ ବହୁତ ଜାଗାରେ ଚୋରା ବାଲି ଚାଲାଣ ହେଉଛି ତାହା ପୁଣି ଶାସକ ଦଳର ଲୋକମାନେ କରୁଛନ୍ତି ।