ଖୋର୍ଦ୍ଧା: ସିଲେଇ ସାଜିଛି ରୋଜଗାରର ମାଧ୍ୟମ । ନିଜେ ସ୍ବାବଲମ୍ବୀ ହେବା ସହ ଗ୍ରାମର ୪୦ ଜଣ ମହିଳା ଓ ଯୁବତୀଙ୍କୁ କରିଛନ୍ତି ରୋଜଗାରକ୍ଷମ । ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ବାର୍ଷିକ 10ରୁ 12 ଲକ୍ଷ ଟଙ୍କାର ବ୍ୟବସାୟ କରି ନିଜ ସହ ନିଜ ଗାଁକୁ ପରିଚୟ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ କୁଶପଲ୍ଲା ଗ୍ରାମର ରେହେନା ବେଗମ । ସେ ପରିବାରର ଆର୍ଥିକ ବୋଝ ହାଲୁକା କରିବା ପାଇଁ ସିଲେଇ ଶିକ୍ଷା ଗ୍ରହଣ କରି ପରିବାର ଚଳାଉଥିଲେ । ଏହାପରେ ସରକାରଙ୍କ ମିଶନଶକ୍ତି ମାଧ୍ୟମରେ ବଡାପୀର ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ବ୍ୟାଙ୍କରୁ ଋଣ ଆଣି ବିଭିନ୍ନ ପ୍ରକାର ସିଲେଇ କରିଥିଲେ । ଏଥିସହ ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ବେଗୁନିଆ ଅଞ୍ଚଳର ବଡପାର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ରେହାନା ବେଗମ ।
ଘରର ସମସ୍ତ କାମ ସାରିବା ପରେ ଅବସର ସମୟକୁ ଅପବ୍ୟୟ ନ କରି ସେହି ସମୟରେ ବିଭିନ୍ନ ଡିଜାଇନର ଶାଢୀ, ବ୍ଲାଉଜ, ଲେହେଁଗା, ସାୟା,ଚାନ୍ଦୁଆ,ପର୍ସ, ବ୍ୟାଗ ଆଦି ସିଲେଇ କରୁଛନ୍ତି । ଏଥିରୁ ରୋଜଗାର ହେଉଥିବା ଅର୍ଥକୁ ପିଲାମାନଙ୍କର ପାଠପଢା ଖର୍ଚ୍ଚ ସହିତ ନିଜର ଆବଶ୍ୟକୀୟ ଖର୍ଚ୍ଚ ତୁଲାଇ ପାରୁଛନ୍ତି ରେହାନା । 2008 ମସିହାରେ ସାହିର 10 ଜଣ ମହିଳାଙ୍କୁ ନେଇ ଏକ ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରିଥିଲେ । ଆଉ ସେହିଦିନ ଠାରୁ ପଛକୁ ବୁଲି ଚାହିଁ ନ ଥିଲେ ରେହାନା ।
ଭୁବନେଶ୍ୱର, କଟକ ଓ କଲିକତାରୁ କଞ୍ଚାମାଲ ଆଣି କପଡା ସିଲେଇ କରି ସ୍ଥାନୀୟ ବ୍ୟବସାୟୀଙ୍କୁ ବିକ୍ରି କରୁଛନ୍ତି ଏସଏଚଜି ମହିଳା । ସେହିପରି ଚାନ୍ଦୁଆ ପ୍ରସ୍ତୁତ କରି ମଧ୍ୟ ସ୍ଥାନୀୟ ବ୍ୟବସାୟୀଙ୍କ ମାଧ୍ୟମରେ ଓଡିଶାର ବିଭିନ୍ନ ସ୍ଥାନରେ ବିକ୍ରି କରୁଛନ୍ତି । ଯାହାଦ୍ବାରା ସେମାନେ ଦୁଇ ପଇସା ରୋଜଗାର କରି ପରିବାର ପ୍ରତିପୋଷଣରେ ସହାୟତା କରିପାରୁଛନ୍ତି । ମହିଳା ମାନଙ୍କର ଏପରି ଉଦ୍ୟମ ସେମାନଙ୍କୁ ଆତ୍ମନିର୍ଭର କରିପାରିଛି । ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି । ମିଶନଶକ୍ତି ମାଧ୍ୟମରେ ପ୍ରଥମେ 75 ହଜାର ଋଣ ଆଣି କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଏବେ ଋଣ 7 ଲକ୍ଷରେ ପହଁଚିଛି ।